ଖୋର୍ଦ୍ଧା: ଦେଶରେ କେତେକ ରାଜ୍ୟରେ ବାର୍ଡ ଫ୍ଲୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା ବେେଳେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ ବେରଣ ଗ୍ରାମରେ ଥିବା ଏକ କୁକୁଡା ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡା ମଡକ ନେଇ ବାର୍ଡ ଫ୍ଲୁ ଆତଙ୍କରେ ସ୍ଥାନୀୟ ଜନସାଧାରଣ ଆତଙ୍କିତ ହୋଇପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ବଡବେରଣ ଗାଁରେ କୁକୁଡା ଫାର୍ମରେ ଗତ ୩ଦିନ ମଧ୍ୟରେ ୩ ହଜାରରୁ ଉଦ୍ଧ୍ୱର୍ କୁକୁଡା ମରିଥିବା ସୂଚନା ମିଳିଛି । ଗତକାଲି ୬ ଶହରୁ ୭ଶହ କୁକୁଡା ମିଳିଥିବା କୁହାଯାଇଛି । ଫାର୍ମ ମାଲିକଙ୍କ କହିବାନୁଯାୟୀ, ସେ ପ୍ରାୟ ୩,୫୦୦ କୁକୁଡା ରଖିଥିବା ବେଳେ ଏବେ ମାତ୍ର ୩୦ରୁ ୪୦ଟି କୁକୁଡା ଅଛନ୍ତି । କୁକୁଡା ମଡକର କାରଣ ଅସ୍ପଷ୍ଟ ରହିଛି । ତେବେ ଏହା ବାଡ ଫ୍ଲୁ କି ନୁହେଁ ସେ ନେଇ ପଶୁ ସମ୍ପଦ ବିଭାଗ ପ୍ରୟାସ ଜାରି ରଖିଛି । ୧୦ଟି ମୃତ କୁକୁଡ଼ାର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳ ଓ ଫୁଲନଖରା ଲାବୋରଟୋରିକୁ ପଠାଯାଇଛି । ଫାର୍ମ ମାଲିକ ନିଜସ୍ୱ ଉଦ୍ୟମରେ ଗାତ ଖୋଳି ମୃତ କୁକୁଡାଙ୍କୁ ପୋତିଛନ୍ତି । ବାର୍ଡ ଫ୍ଲୁ ଯୋଗୁ ନା ଅନ୍ୟ କୌଣସି କାରଣରୁ ଏପରି ଘଟିଛି, ତାହା ସ୍ପଷ୍ଟ ହୋଇପାରି ନାହିଁ । ଅନ୍ୟପକ୍ଷରେ ରାଜ୍ୟରେ ବାର୍ଡ ଫ୍ଲୁ ଆଶଙ୍କା ନେଇ ରାଜ୍ୟ ପଶୁ ସମ୍ପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କଂଟ୍ରୋଲ ରୁମ୍ ଖୋଲାଯାଇଛି । କୌଣସି ପକ୍ଷୀର ଅସ୍ୱାଭାବିକ ମୃତ୍ୟୁ ଘଟିଲେ ତୁରନ୍ତ ଜଣାଇବାକୁ ବିଭାଗ ପରାମର୍ଶ ଦେଇଛି । ପ୍ରକାଶ ଥାଉକି ଦେଶର ବିଭିନ୍ନ ସ୍ଥାରେ ବାର୍ଡ ଫ୍ଲୁ ଯୋଗୁ ହଜାର ହଜାର ପକ୍ଷୀ ମରୁଥିବା ବେଳେ ଓଡିଶାରେ କିନ୍ତୁ ଏପରି ସ୍ଥିତି ଦେଖାଦେଇ ନଥିବା ନେଇ ଗତକାଲି ସ୍ପଷ୍ଟ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର