୨୧ରୁ ବିନା କଟକଣାରେ ଜଗା ଦର୍ଶନ


ପୁରୀ: ଆସନ୍ତା ୨୧ ତାରିଖରୁ ବିନା କୋଭିଡ୍ ପରୀକ୍ଷା କଟକଣାରେ ଭକ୍ତମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିପାରିବେ । ଏନେଇ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ବୈଠକ ପରେ ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୁଖ୍ୟ କ୍ରିଷନ କୁମାର ସୂଚନା ଦେଇ କହିଛନ୍ତି ଯେ, ୨୧ ତାରିଖରୁ ଭକ୍ତମାନଙ୍କ ପାଇଁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦରକାର ନାହିଁ ତେବେ ୨୧ ତାରିଖ ପର୍ଯ୍ୟନ୍ତ କୋଭିଡ୍ ନେଗେଟିଭ୍ ରିପୋର୍ଟ ବଳବତର ରହିବ । ସେହିପରି ୨୧ତାରିଖ ସକାଳ ୭ଟାରୁ ମହାପ୍ରଭୁଙ୍କର ଦର୍ଶନ ଆରମ୍ଭ ହେବ । ପୂର୍ବରୁ ସକାଳ ୮ଟାରୁ ଦର୍ଶନ ଆରମ୍ଭ ହେଉଥିଲା । ଏହା ବ୍ୟତୀତ ଆନନ୍ଦ ବଜାର ଭକ୍ତମାନଙ୍କ ପ୍ରସାଦ ସେବନ ନିଷିଦ୍ଧ ରହିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ଏହାସହ ପୁରୀବାସୀଙ୍କ ପାଇଁ ସକାଳ ୬ ଟାରୁ ଦର୍ଶନ ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଗତ ୩ତାରିଖରୁ ବର୍ତମାନସୁଦ୍ଧା ସପ୍ତାହକ ମଧ୍ୟରେ ୨୫ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତେବେ ମନ୍ଦିର ଖୋଲିବା ଠାରୁ ବର୍ତମାନ ସୁଦ୍ଧା ୬୫ ହଜାର ଭକ୍ତ ଶ୍ରୀ ଜିଉଙ୍କୁ ଦର୍ଶନ କରିଥିବା ସେ ସୂଚନା ଦେଇଛନ୍ତି । ଆସନ୍ତା ୨୧ ତାରିଖରୁ ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ଲାଗି ବ୍ୟବସ୍ଥା କରାଯିବ । ଦୈନିକ ୩୦ ହଜାରରୁ ଅଧିକ ଭକ୍ତ ହେଲେ ବ୍ୟାରିକେଟ୍ ସଂଖ୍ୟା ବୃଦ୍ଧି କରାଯିବ । ଅନ୍ୟପକ୍ଷରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯିବ । କରୋନା ନେଗେଟିଭ୍ ରିପୋର୍ଟ ପ୍ରଦର୍ଶନ କୋହଳ କରାଯାଇଥିଲେ ମଧ୍ୟ ଭକ୍ତମାନଙ୍କ ମାସ୍କ ପରିଧାନ , ସାମାଜିକ ଦୂରତା ରକ୍ଷା ଏବଂ ସାନିଟାଇଜର ବାଧ୍ୟତା ମୂଳକ ରହିଛି ।
ସୂଚନା ଯୋଗ୍ୟ ଯେ, ଦୀର୍ଘ ୧୦ ମାସ ଧରି କରୋନା ମହାମାରୀ ପାଇଁ ମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇଥିଲା । ମାତ୍ର ରାଜ୍ୟର କରୋନା ସ୍ଥିତି ଟିକେ ସ୍ୱାଭାବିକ ହେବା ପରେ ଡିସେମ୍ବର ୨୩ ତାରିଖରୁ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇଥିଲେ । କୋଭିଡ୍ କଟକଣା ଭିତରେ ସମସ୍ତ ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇ ନଥିଲା । ଯେଉଁମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଉଥିଲେ ସେହିମାନଙ୍କୁ କେବଳ ଦର୍ଶନର ସୁବିଧା ମିଳୁଥିଲା । ହେଲେ ଏନେଇ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ କୋଭିଡ୍ ଟେଷ୍ଟ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ସମ୍ଭବ ହୋଇପାରୁ ନଥିଲା । ଏହାର ସମାଧାନ ପାଇଁ ଆଜି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହୋଇଥିବା ଏସଓପିରେ କିଛି ପରିବର୍ତନ କରାଯାଇ ଚଳିତ ମାସ ୨୧ ତାରିଖରୁ ବିନା କୋଭିଡ୍ ରିପୋର୍ଟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଉଛି ।

Leave A Reply

Your email address will not be published.

4 × 2 =