ପୁରୀ : ଆଉ ନାହାନ୍ତି ପ୍ରଖ୍ୟାତ ବନାଟି ଖେଳ ଗୁରୁ ରାମଚନ୍ଦ୍ର ସୁଆର । ହୃତଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।ବନାଟି ଖେଳ ଗୁୁରୁ ରାମଚନ୍ଦ୍ର ସୁଆର ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏମସରେ ପହଂଚିବା ପୂର୍ବରୁ ରାସ୍ତାରେ ତାଙ୍କର ବିୟୋଗ ହୋଇସାରିଛି । ବିଳମ୍ବିତ ରାତିରେ ତାଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇଛି । ତାଙ୍କର ଏକମାତ୍ର ପୁଅ ଜଗନ୍ନାଥ ସୁଆର ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶୋକ ପ୍ରକାଶ କରିଛନ୍ତି । ରାମଚନ୍ଦ୍ର ଜୀବନ ସାରା ବନାଟି ଖେଳ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି । ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବା ସହ ସେ ଜିଲ୍ଲା ପ୍ରଶାସନର ସମସ୍ତ ଉସôବରେ ବନାଟି ଖେଳ ପ୍ରଦର୍ଶନ କରୁଥିଲେ । ଚନ୍ଦନ ଯାତ୍ରାଠାରୁ ଆରମ୍ଭ କରି ରଥଯାତ୍ରା ଓ ନିଳାଦ୍ରି ବିଜେ ସମୟରେ ବନାଟି ପ୍ରଦର୍ଶନ କରାଯାଇଥାଏ । ତାଙ୍କଠରୁ ଶିକ୍ଷାଗ୍ରହଣ କରିଥିବା ହଜାର ହଜାର ଛାତ୍ରଛାତ୍ରୀ ସମଗ୍ର ଓଡ଼ିଶାରେ ରହିଛନ୍ତି ।ସେ ପୁରୀ ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ମଧ୍ୟ ହୋଇଛନ୍ତି ।