ବଦଳିବ ବିରଜା ମନ୍ଦିର ରୂପରେଖ

ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ବେଢ଼ାର ରୂପ ରେଖ ବଦଳିବ । ଭାରତ ବର୍ଷରେ ଥିବା ୫୧ ଶକ୍ତି ପୀଠରୁ ୧୧ ନମ୍ବରରେ ସ୍ଥାନ ପାଇଥିବା ମା’ ବିରଜାଙ୍କ ମନ୍ଦିର ଅନ୍ୟତମ । ଏହାର ଉନ୍ନତି ପାଇଁ ଜିଲ୍ଳା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ତଥା ସ୍ଥାନୀୟ ବିଧାୟକଙ୍କ ଉଦ୍ୟମରେ ଏବେ ବିରଜା ମନ୍ଦିରର ଉନ୍ନତି ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଯାହାର ପ୍ରତିଛବି ଆଜି ବିରଜା କଲ୍ୟାଣ ମଣ୍ଡପରେ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟ ପ୍ରଶାସକ ନାରାୟଣ ଚନ୍ଦ୍ର ଧଳ ଓ ସହକାରୀ ଜିଲ୍ଳାପାଳ ଅନୂପ କୁମାର ବେହେରାଙ୍କ ତତ୍ୱାବଧାନରେ ବିରଜା କଲ୍ୟାଣ ମଣ୍ଡପରେ ଆଜି ଅପରାହ୍ନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମା’ ବିରଜାଙ୍କ ସମସ୍ତ ବର୍ଗର ସେବାୟତମାନେ ଯୋଗ ଦେଇ ପ୍ରତିଛବି ଦେଖିଥିଲେ । ମନ୍ଦିରର ପ୍ରବେଶ ପଥ ସିଂହଦ୍ୱାର ଠାରୁ ଆରମ୍ଭ କରି ବେଢ଼ା ମଧ୍ୟରେ ଥିବା ସମସ୍ତ ଦେବା ଦେବୀ ମନ୍ଦିର ପ୍ରତିଛବି ସମସ୍ତଙ୍କୁ ଅବଗତ କରାଯାଇଥିଲା । ମନ୍ଦିରର ଭୋଗ ଦୋକାନ, ମୁକ୍ତି ମଣ୍ଡପ, ଆନନ୍ଦ ବଜାର, ଟ୍ରଷ୍ଟ ବୋଡର଼୍ କାର୍ଯ୍ୟାଳୟ, ପାଠ ଶାଳା, ସେବାୟତଙ୍କ ବିଶ୍ରାମ ଗୃହ, ୪୨ ଓ ୫୪ ମହାଦେବ ସମେତ ବେଢ଼ା ମଧ୍ୟରେ ଥିବା ଅନେକ ଛୋଟ ମନ୍ଦିରର ପ୍ରତିଛବି ଟିକିନିକି ଭାବରେ ବୁଝାଇ ଦିଆଯାଇଥିଲା । ଏହି କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯାଇ ଆସନ୍ତା ବର୍ଷ ଦୁର୍ଗା ପୂଜା ପୂର୍ବରୁ କାର୍ଯ୍ୟ ସମାପନ ପାଇଁ ଲକ୍ଷଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ କାର୍ଯ୍ୟ ବାସ୍ତୁ ଶାସ୍ତ୍ର ଅନୁଯାୟୀ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ମୁଖ୍ୟ ମନ୍ଦିରର କୈାଣସି କାର୍ଯ୍ୟକ୍ରମ କରାଯିବ ନାହିଁ । ପୂର୍ବ ଭଳି ମୁଖ୍ୟ ମନ୍ଦିର ରହିଥିବା ବେଳେ ବେଢ଼ା ମଧ୍ୟର ଅନ୍ୟାନ୍ୟ ଛୋଟ ବଡ଼ ମନ୍ଦିରକୁ ସୈାନ୍ଦର୍ଯ୍ୟ କରଣ କରାଯିବାକୁ ଯୋଜନା ରଖା ଯାଇଛି । ଇତି ମଧ୍ୟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମରେ ରାଜ୍ୟ ସରକାରଙ୍କ ତରଫରୁ ପୁନରାୟ ୬ କୋଟି ଅନୁମୋଦନ ମିଳିଥିବା ବେଳେ ଆବଶ୍ୟକ ଅନୁଯାୟୀ ଅର୍ଥ ଅନୁମୋଦନ କରାଯିବ ବୋଲି ଜଣାଯାଇଛି । ସାଧାରଣ ଭକ୍ତ ଟିଏ ମନ୍ଦିର ଭିତରକୁ ସିଧାସଳଖ ପ୍ରବେଶ କରି ପାରିବା ସହିତ ସୁରୁଖୁରରେ ପ୍ରତ୍ୟେକ ପାଶ୍ୱର୍ ଦେବା ଦେବୀଙ୍କୁ ଦର୍ଶନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଫାଙ୍କା ଥିବା ସ୍ଥାନରେ କିଛି ଫୁଲ ଗଛ ସହିତ ଭକ୍ତମାନଙ୍କର ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଇଛି । ବିରଜା ମନ୍ଦିର ଉନ୍ନତି ପଛରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମୁଖ୍ୟ ଭୂମିକା ଥିବାରୁ ବିଭିନ୍ନ ମହଲରୁ ତାଙ୍କ ସ୍ୱାଗତ କରାଯାଇଥିବା ବେଳେ ମା’ ବିରଜାଙ୍କ ମୁକ୍ତି ମଣ୍ଡପ ସେବାୟତ ପକ୍ଷରୁ ସମସ୍ତ ସେବାୟତ ଅଶେଷ ଅଶେଷ ଧନ୍ୟବାଦ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

3 × five =