ସୋସିଆଲ ମିଡିଆରେ ଯୁଦ୍ଧ କରିବ ବିଜେଡି

୨୦୧୪ ସାଧାରଣ ନିର୍ବାଚନରେ ବିଜେପି “ଜନତା ମାଫ ନହିଁ କରେଗି” ସ୍ଲୋଗାନ ବ୍ୟବହାର କରି କଂଗ୍ରେସ ଶାସନ ସମୟର ବିଭିନ୍ନ ଦୁର୍ନୀତି, ପ୍ରଶାସନିକ ସ୍ଥାଣୁତା, ଅପରାଧ ଏବଂ ଘୋଟାଲା ଭଳି ପ୍ରସଙ୍ଗ ସବୁକୁ ତାଲିକାଭୁକ୍ତ କରି ଟିଭି ଏବଂ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ପ୍ରସାର କରିଥିଲା ଯାହା ଫଳରେ ଶାସନରେ ଥିବା କଂଗ୍ରେସର ଶୋଚନୀୟ ପରାଜୟ ଘଟିଥିଲା ଏବଂ ବିଜେପି ପୂର୍ଣ୍ଣ ବହୁମତରେ ସରକାର ମଧ୍ୟ ଗଠନ କରିବାରେ ସକ୍ଷମ ହୋଇପାରିଥିଲା। ଏହି ନିର୍ବାଚନକୁ ଜିତିବା ପାଇଁ ଇଣ୍ଟେର୍ନେଟର ବହୁଳ ବ୍ୟବହାର କରାଯାଇଥିଲା ଏବଂ ଏହା ମାଧ୍ୟମରେ ଯୁବପିଢିଙ୍କ ପାଖରେ ବିଜେପି ସହଜରେ ପହଂଚି ପାରିଥିଲା। ଏବେ ଓଡ଼ିଶାରେ ଆଗକୁ ପଂଚାୟତ ନିର୍ବାଚନ ଅଛି ଏବଂ ୨୦୧୭ ପଂଚାୟତ ନିର୍ବାଚନ ଫଳାଫଳ ତଥା ବର୍ତମାନ ସୋସିଆଲ ମିଡିଆରେ ବିଜେପିର ଦବଦବାକୁ ଦେଖି ବିଜେଡି ଚିନ୍ତିତ ଥିବା ଜଣାପଡୁଛି। କାରଣ ୨୦୧୨ ପଂଚାୟତ ନିର୍ବାଚନ ତୁଳନାରେ ୨୦୧୭ରେ ବିଜେପିର ଆସନ ସଂଖ୍ୟା ପ୍ରାୟତଃ ୮୫୦ ଶତକଡା ବୃଦ୍ଧି ପାଇଥିଲା ଏବଂ ଏବେ ପଂଚାୟତ ନିର୍ବାଚନର ଠିକ ପୂର୍ବରୁ ବିଜେପି ସୋସିଆଲ ମିଡ଼ିଆ ସହାୟତାରେ ନବୀନ ସରକାରଙ୍କ ବିଭିନ୍ନ ଦୁର୍ନୀତି, ପ୍ରଶାସନିକ ସ୍ଥାଣୁତା, ଅପରାଧ ଏବଂ ଘୋଟାଲା ଭଳି ପ୍ରସଙ୍ଗ ସବୁକୁ ତାଲିକାଭୁକ୍ତ କରି ଆକ୍ରମଣ କରିବା ଆରମ୍ଭ କରିଦେଲାଣି। ବିଜେଡି ଚିନ୍ତିତ ଥିବା କହିବା ପଛରେ ୨ଟି କାରଣ ଅଛି। ପ୍ରଥମଟି ହେଲା ଏବେ ଅଳ୍ପ କିଛି ଦିନ ତଳେ ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁଠୁ ଦଳର ସୋସିଆଲ ମିଡିଆ ପରିଚାଳନା ଦାୟିତ୍ୱ କାଢ଼ି ନିଆଯାଇଛି ବୋଲି ଖବର ପ୍ରକାଶ ପାଇଛି। ଏହି ଖବରରେ ଆହୁରି ମଧ୍ୟ ଉଲ୍ଲେଖ ଥିଲା ଯେ ଶାସକ ଦଳର ଆଇଟି ସେଲ୍ ହୋଇଥିବା ସତ୍ତ୍ୱେ ପ୍ରଦର୍ଶନ ଉତ୍ସାହଜନକ ନରହିବା ଓ ବିରୋଧୀଙ୍କୁ ଠିକ୍ ଭାବେ କାଉଣ୍ଟର କରିବାରେ ସକ୍ଷମ ନହେବାରୁ ଅମରଙ୍କ ନେତୃତ୍ୱରେ ଚାଲିଥିବା ଆଇଟି ସେଲକୁ ବନ୍ଦ କରିଦିଆ ଯାଇଛି ଏବଂ ଏବେ ଦଳର ଆଇଟି ସେଲ୍ ସଂକ୍ରାନ୍ତ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବଙ୍କ ଉପରେ ନ୍ୟସ୍ତ ହୋଇଛି। ଦ୍ଵିତୀୟ କାରଣଟି ହେଲା ଗତ ୩୧ ଜାନୁଆରୀ ୨୦୨୧ରେ ଭଦ୍ରକର ନେହେରୁ ଷ୍ଟାଡିୟମ୍ ଠାରେ ଜିଲା ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦେଇଥିବା ବକ୍ତବ୍ୟ।

Leave A Reply

Your email address will not be published.

19 − 10 =