କୃଷକ ହିଂସାକୁ ନେଇ ସେଲିବ୍ରିଟିଙ୍କ ଟୁଇଟ୍‌ ଝଡ଼

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡିକୁ ଆନ୍ତର୍ଜାତିକସ୍ତରରେ ସମର୍ଥନ ମିଳିଛି। ଆନ୍ଦୋଳନକାରୀ କୃଷକଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ଆନ୍ତର୍ଜାତିକ ପ୍ରସିଦ୍ଧି ଲାଭ କରିଥିବା ପପ୍‌ଷ୍ଟାର ରିହାନା ଓ ଜଳବାୟୁ ପରିବର୍ତ୍ତନ କର୍ମୀ ଗ୍ରେଟା ଥନବର୍ଗ। କୃଷକ ହିଂସାକୁ ନେଇ ଦିଲ୍ଲୀ ସୀମାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯିବାକୁ ରିହାନ ନାପସନ୍ଦ କରିଛନ୍ତି। ସେ ଟୁଇଟ୍‌ କରିଛନ୍ତି ‘ଆମେ କାହିଁକ ଏ ସମ୍ପର୍କରେ କିଛି କହୁ ନାହୁଁ’। ସେହିପରି ଗ୍ରେଟା ଥନବର୍ଗ ଟୁଇଟରରେ ଲେଖିଛନ୍ତି ‘ଭାରତର କୃଷକ ଆନ୍ଦୋଳନକୁ ଆମେ ସମର୍ଥନ କରୁଛୁ’। ମଡେଲ ମିଆ ଖାଲିଫା ମଧ୍ୟ କୃଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି।ତେବେ ରିହାନାଙ୍କ ଟୁଇଟ୍‌କୁ ବୈଦେଶିକ ମନ୍ତ୍ରଣାଳୟ ନିନ୍ଦା କରିଛି। ରିହାନାଙ୍କ ନାମ ନ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କେହି କୌଣସି ପ୍ରସଙ୍ଗରେ ମନ୍ତବ୍ୟ ଦେବା ପୂର୍ବରୁ ଏହାକୁ ବୁଝିବା ଦରକାର। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବୁଧବାର କହିଛନ୍ତି ଯେ ଭାରତ ବିରୋଧରେ ଆନ୍ତର୍ଜାତିକସ୍ତରରେ ଯେଉଁ ଅପପ୍ରଚାର ଚାଲିଛି ତାହା କେବେ ସଫଳ ହେବ ନାହିଁ। ଆମେ ନିଜ କଥା ନିଜେ ବୁଝିବାକୁ ଏବେ ବେଶ ସମର୍ଥ। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଭାରତର ଅଖଣ୍ଡତାକୁ କୌଣସି ଶକ୍ତି ଭାଙ୍ଗିପାରିବ ନାହିଁ। ରିହାନଙ୍କ ଟୁଇଟ୍‌କୁ କ୍ରିକେଟର ସଚିନ ତେନ୍ଦୁଲକର ବିରୋଧ କରିଛନ୍ତି। ତେନ୍ଦୁଲକର ତାଙ୍କ ଟ୍ବିଟରରେ ଲେଖିଛନ୍ତି ‘ଭାରତର ସାର୍ବଭୌମତ୍ବକୁ ନେଇ କେବେ ସାଲିସ କରାଯାଇପାରିବ ନାହିଁ। ଆନ୍ତର୍ଜାତିକ ଶକ୍ତି ଭାରତର କାର୍ୟ୍ୟକୁ କେବଳ ଦେଖିପାରିବେ ମାତ୍ର ଏଥିରେ ଭାଗ ନେଇପାରିବେ ନାହିଁ। ଭାରତୀୟମାନେ ଭାରତକୁ ଜାଣନ୍ତି ଏବଂ ଭାରତ ପାଇଁ ନିଷ୍ପତ୍ତି ନେବା ଦରକାର। ଗୋଟିଏ ଦେଶର ନାଗରିକ ଭାବେ ଏକଜୁଟ୍‌ ହୋଇ ରହିବା।’ ବଲିଉଡର ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ରିହାନାଙ୍କୁ ବିରୋଧ କରିଛନ୍ତି। ରିହାନାଙ୍କୁ କଙ୍ଗନା ‘ବୋକା’ ବୋଲି ସମ୍ବୋଧନ କରିଛନ୍ତି। ଭାରତକୁ ବିଭାଜନ କରିବା ଲାଗି ରିହାନା ଉଦ୍ୟମ କରୁଛନ୍ତି। ବଲିଉଡ୍‌ କଳାକାର ଅକ୍ଷୟ କୁମାର, ଅଜୟ ଦେବଗନ, ସୁନୀଲ ସେଟ୍ଟି, କରନ ଜୋହର ଓ ଏକତା କପୁର ପ୍ରମୁଖ ଭାରତ ବିରୋଧୀ ଷଡଯନ୍ତ୍ରକୁ ନିନ୍ଦା କରିବା ସହିତ ଭାରତର ଏକତା ପାଇଁ ନିବେଦନ କରିଛନ୍ତି। ବଲିଉଡର ଏହି କଳାକାରମାନେ କୃଷକଙ୍କ ସମସ୍ୟାକୁ ଆପେଷ ସମାଧାନ ନେଇ ନିବେଦନ କରିଛନ୍ତି।

Leave A Reply

Your email address will not be published.

thirteen + twenty =