ଶବ ସଂସ୍କାର ସମୟରେ ନିଆଁ ଲାଗି ଦୁଇ ଆହତ

ବାଲିକୁଦା: ଶବ ସଂସ୍କାର କରିବାକୁ ଯାଇ ଦୁଇ ଜଣ ନିଆଁରେ ପୋଡି ହୋଇ ଆହତ ହୋଇଥିବା ଜଣା ପଡିଛି । ତେବେ ଆହତ ଦୁହିଁଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ପଠାଇ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ ବାଲିକୁଦା ଥାନା ବୋରିକିନା ପଞ୍ଚାୟତ ବୋରିକିନା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାନୁଯାୟୀ ଉକ୍ତ ଗାଁର ରାମଚନ୍ଦ୍ର ବରାଳ (୭୫)ଙ୍କର ଆଜି ଦେହାନ୍ତ ହୋଇଥିଲା । ତାଙ୍କ ଶବ ସକ୍ରାର ହେବା ଲାଗି ଗାଁ ମଶାଣିକୁ ଶବକୁ ନିଆ ଯାଇଥିଲା । ମାତ୍ର ସେଠାରେ ଶବ ଦାହ ସମୟରେ ୪ ପୁଅଙ୍କ ସମେତ ପଡୋଶି ଓ ଜ୍ଞାନ୍ତି କୁଟୁମ୍ବ ଉପସ୍ଥିତ ଥିଲେ । ବଡ ପୁଅ କୈଳାସ ମୁଖାଗ୍ନୀ ଦେଇ ମଶାଣୀରୁ ଚାଲିଆସିଥିଲେ । ତେବେ ସଂସ୍କାର ପାଇଁ ଯାଇଥିବା କିରୋସିନି ଜାରରେ ଅସାବଧାନତା ହେତୁ ଉକ୍ତ କିରୋସିନି ଜାରରେ ନିଆଁ ଲାଗି ଯାଇଥିଲା । ଫଳରେ ନିଆଁ ଛିଟିକି ପଡୋଶି ବୀରବର ନାୟକ (୪୯) ଓ ମୃତ ବରାଳଙ୍କ ସାନ ପୁଅ ନିତ୍ୟାନନ୍ଦଙ୍କ ଦେହରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗି ଉଭୟ ଆହତ ହୋଇଥିବା ବେଳେ ସେଠାରେ ଥିବା ଅନ୍ୟ ଲୋକ ମାନେ ତାଙ୍କୁ ଉଦ୍ଧାର କରି ନେଇଥିଲେ । ଉକ୍ତ ଘଟଣା ସମ୍ପର୍କରେ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦିଆ ଯାଇଥିଲା । ଯନ୍ତ୍ରଣା ସହ୍ୟ କରି ନପାରି ନିତ୍ୟାନନ୍ଦ ମଶାଣି ନିକଟରେ ଥିବା ଏକ ପୋଖରୀକୁ ଦୌଡିଯାଇ ସେଠାରେ ପାଣିରେ ବୁଡି ରହିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ତାଙ୍କର ସ୍ୱାସ୍ଥାବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ବୀରବରଙ୍କ ମୁହଁ, ପିଠି ଓ ହାତ ନିଆଁରେ ପୋଡ଼ି ଯାଇଛି । ସେହିପରି ମୃତ ବିଶ୍ୱାଳଙ୍କ ସାନପୁଅ ନିତ୍ୟାନନ୍ଦ ମଧ୍ୟ ଆହତ ହୋଇଛନ୍ତି ।

Leave A Reply

Your email address will not be published.

seven − three =