ସକାଳୁ ଉଠାଇବାର ଚାକିରି

ଆଜିର ସମୟରେ ସକାଳୁ ଉଠିବାକୁ ହେଉ କିମ୍ବା ଦିନର ଯେ କୌଣସି ସମୟରେ ନିଦ ଭାଙ୍ଗିବାକୁ ଆମ ପାଖେ ଯୁଗୋପଯୋଗୀ ସ୍ମାର୍ଟଫୋନ୍‌ଟେ ଅଛି। ବାସ୍..କେତୋଟି ସୁଇଚ୍ ଟିପିଲେ ନିଦଟି ଆମର ଭାଙ୍ଗିଯାଏ, ଏଇ ସ୍ମାର୍ଟଫୋନ୍ ଆସିବା ପୂର୍ବରୁ ଘରେଘରେ ଲୋକଙ୍କ ପାଖେ ଥିଲା ଆଲାର୍ମ ଘଣ୍ଟା। ରାତିରୁ ଚାବି ମୋଡ଼ି ସକାଳ ପହର ପାଇଁ ସତର୍କ ରହୁ, ବେଶ୍ ଜୋର୍‌ରେ ଆଲାର୍ମ ଘଡ଼ିଟି ବାଜି ଆମ ସୁନିଦ୍ରାକୁ ଭାଙ୍ଗିବାରେ ଆଦୌ ହେଳା କରେନାହିଁ। ପାଠକବନ୍ଧୁ, କେବେ ଭାବିଛନ୍ତି କି ଏହି ଆଲାର୍ମ ଘଣ୍ଟା ଆସିବା ପୂର୍ବରୁ ଲୋକେ ସକାଳ ପହରରେ କିପରି ଉଠୁଥିଲେ? କାଉ ରାବ କିମ୍ବା କୁକୁଡ଼ା ନୁହେଁ, ୧୯୨୦ ସମୟରେ ସକାଳବେଳା ଲୋକଙ୍କୁ ଉଠାଇବା ନିମନ୍ତେ ଇଂଲଣ୍ଡ ପରି ରାଇଜରେ ସହସ୍ରାଧିକ ଲୋକଙ୍କୁ ନିଯୁକ୍ତି ମିଳିଥିଲା। ଭୋର୍ ସମୟରେ ଏମାନେ ନିର୍ଦିଷ୍ଟ ଲୋକର ଘରକୁ ଯାଇ ନିଜ କାମ ସମ୍ପାଦନରେ ଆଦୌ ହେଳା କରୁନଥିଲେ। ଘର ବାହାର କଲିଂ ବେଲ୍ ହେଉ କିମ୍ବା କବାଟକୁ ଆଘାତ କରି ଏମାନେ ଲୋକଙ୍କ ନିଦ ଭାଙ୍ଗୁଥିଲେ। ୧୯୨୦-୪୦ ସମୟରେ ଲୋକେ ଏଇ ଉପାୟରେ ନିଦ ଭାଙ୍ଗୁଥିବାବେଳେ ଏହି କାମ କରୁଥିବା ଲୋକଙ୍କୁ ‘ନକର୍ ଅପ୍’ ନାମରେ ଜଣାଯାଉଥିଲା। ଏମାନଙ୍କୁ ଦିନ ପିଛା ପାଉଣା ମିଳୁଥିବାବେଳେ ନକର୍‌ ଅପ୍ ଗୋଟିଏ ଦିନ ପାଇଁ ସେସମୟରେ ୭୦ ପଇସା ନେଉଥିଲେ। ଧାର୍ଯ୍ୟ ସମୟରୁ ବିଳମ୍ବ ହେଲେ ନକର୍‌ ଅପ୍ ବ୍ୟକ୍ତିଜଣକ ଜୋରିମାନା ଦେଉଥିଲା। ୧୯୭୦ ମସିହା ପର୍ଯ୍ୟନ୍ତ ନକର୍‌ ଅପ୍୍ଙ୍କ ଖୋଜାପଡ଼ୁଥିଲା, ପରେପରେ ଆଲାର୍ମ ଘଣ୍ଟା ଆସିବା ପରେ ଏମାନଙ୍କ ଲୋକପ୍ରିୟତା କମିଚାଲିଲା। ଲଣ୍ଡନରେ ଥିବା ସଂଖ୍ୟାଧିକ କାରଖାନାରେ କାମ କରୁଥିବା କର୍ମଚାରୀମାନେ ଏହି ନକର୍-ଅପ୍‌ଙ୍କ ସହାୟତା ନେଇ ଦୈନିକ ସକାଳବେଳା ଉଠୁଥିଲେ। ପ୍ରଥମେ ସମ୍ଭ୍ରାନ୍ତ ବର୍ଗର ଲୋକ ସକାଳବେଳା ସେମାନଙ୍କ ରେଳଯାତ୍ରା ଅବା ବିମାନ ଯାତ୍ରା ପାଇଁ ଏହି ନକର୍‌ଅପ୍‌ଙ୍କୁ ନିଯୁକ୍ତି ଦେଲେ, ପରେ ମଧ୍ୟବିତ୍ତ ବର୍ଗର ଲୋକମାନେ ସେମାନଙ୍କ କାମ ନିମନ୍ତେ ଏମାନଙ୍କ ସହାୟତା ନେଲେ। ଏହି ଚାକିରି କରୁଥିବା ଲୋକଙ୍କର ବେଶ୍ ଭଲ ରୋଜଗାର ହେଉଥିବାର କେତୋଟି ପୁରୁଣା ସାକ୍ଷାତକାର୍‌ରୁ ଜଣାପଡ଼େ। ନକର୍‌ ଅପ୍‌ମାନେ ପୂରା ରାତି ପେଚା ପରି ଚାହିଁରହୁଥିବାବେଳେ ଦିନମାନ ସେମାନେ ଶୋଇରହୁଥିଲେ। ସନ୍ଧ୍ୟା ୫ଟା ପରଠାରୁ ସେମାନେ ନିଜ କାମରେ ସକ୍ରିୟ ରହନ୍ତି। ଲଣ୍ଡନର କେତୋଟି ଏଜେନ୍ସି ଏହି ନକର୍-ଅପ୍‌ମାନଙ୍କୁ ନିଯୁକ୍ତି ଦେବା ସହ ଏହିଜରିଆରେ ଏଜେନ୍ସିଗୁଡ଼ିକ ମଧ୍ୟ ବେଶ୍ ଲାଭବାନ୍ ହୋଇଥିଲେ।
ଆଲାର୍ମ ଘଣ୍ଟାର ଆଦର ୧୯୫୦ବେଳକୁ ହଠାତ୍ ଯେତେବେଳେ ବଢ଼ିଲା, ନକର୍-ଅପ୍‌୍ମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା। ସତକୁ ସତ ବର୍ଷ କେଇଟାରେ ସେମାନଙ୍କ ଅସ୍ଥିତ୍ବ ହଜିଗଲା। ଆଜିର ସମୟରେ ନକର୍‌-ଅପ୍‌ମାନେ ଇତିହାସର ପୃଷ୍ଠାରେ ସ୍ଥାନ ପାଇଛନ୍ତି। କେତେଜଣ ଚର୍ଚ୍ଚିତ ବୈଜ୍ଞାନିକମାନେ ମଧ୍ୟ ଏହି ନକର୍‌-ଅପ୍‌ଙ୍କ ସହାୟତାରେ ଭୋରବେଳା ଉଠି ସେମାନଙ୍କ ଗବେଷଣା କରୁଥିଲେ। ସେସମୟରେ ଉଦ୍ଦିଦ ବିଜ୍ଞାନୀମାନେ ବିଭିନ୍ନ ପ୍ରକାର ଫୁଲର ପରୀକ୍ଷା ନିମନ୍ତେ ନକର୍-ଅପ୍‌ଙ୍କ ସହାୟତା ନେଇ ସଫଳ ହୋଇଥିବାର ଜଣାପଡ଼ିଛି।
ଇଂଲଣ୍ଡ ପରେ ଆମେରିକାରେ ମଧ୍ୟ ଏଇ ନକର୍-ଅପ୍‌ଙ୍କ ଲୋକପ୍ରିୟତା ବଢ଼ିଥିଲା, ହେଲେ ଯନ୍ତ୍ରର ଜାଲରେ ବାନ୍ଧି ହୋଇ ମଣିଷ ଅନ୍ୟ ଜଣେ ମଣିଷର ସହାୟତାକୁ ତୁଚ୍ଛ ମନେକରିଥିଲା କହିଲେ ଭୁଲ ହେବନାହିଁ।

Leave A Reply

Your email address will not be published.

thirteen − 5 =