ପାରମ୍ପାରିକ ଶାସ୍ତ୍ରୀୟ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର

ଧଉଳି: ରାଜ୍ୟ ପର୍ଯ୍ୟଟନ ଓଡ଼ିଶା ଡ଼୍ୟାନ୍ସ ଏକାଡେ଼ମୀ ଓ ଆର୍ଟ ଭିଜନ୍ର ମିଳିତ ଉଦ୍ୟମରେ ଆୟୋଜିତ ୧୭ତମ ଧଉଳି କଳିଙ୍ଗ ମହୋତ୍ସବର ଆଜିଥିଲା ଦ୍ୱିତୀୟ ସଂଧ୍ୟା । ଐତିହାସିକ ଧଉଳି ପାହାଡ଼ର ପାଦଦେଶ ଓଡ଼ିଶୀ, ଭରତନାଟ୍ୟମ୍ ଓ ଛଉ ନୃତ୍ୟ ସଙ୍ଗୀତରେ ଆଜି ଚଳଚଞ୍ଚଳ । ଶହ ଶହ ଦର୍ଶକ ଉପସ୍ଥିତ ରହି ଶୀତ ସଂଧ୍ୟାରେ ଏହାକୁ ଉପଭୋଗ କରୁଥିଲେ । ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ନୃତ୍ୟ ଯାହାକୁ ପରିବେଶଣ କରିଥିଲେ ଆର୍ଟ ଭିଜନ୍ର ଶିଳ୍ପୀମାନେ । ସେମାନଙ୍କର ପ୍ରସ୍ତୁତିରେ ଥିଲ ରାଗ କଳାବତୀ ଓ ତାଳ ତ୍ରିପଟାରେ ନିବଦ୍ଧ ପଲ୍ଲବୀ ପରେ ପରେ କବି କାଳିଦାସଙ୍କ ରଚନାରୁ ଉଦ୍ଧୃତ ମେଘଦୁତମ୍ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଇଲିୟାନା ସିତାରିଷ୍ଟି । ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଭାରତନାଟ୍ୟମ୍ ନୃତ୍ୟ ଯାହାକୁ ପରିବେଶଣ କରିଥିଲେ ଚେନ୍ନାଇରୁ ଆସିଥିବା ଗୁରୁ ଅନିଥା ଗୁହା ଓ ସାଥୀ । ସେମାନଙ୍କ ପ୍ରସ୍ତୁତିରେ ଥିଲା ମର୍ଗାଝୀ ଥିଙ୍ଗଲ ପର୍ଶୁରାମ ପରେ ପରେ ରାମାୟଣରୁ ଉଦ୍ଧୃତ ଯଥିସ୍ୱରମ୍ ସାହିତ୍ୟମ୍ । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ସୁରଦାସଙ୍କ ରଚନାରେ ଗୋପୀ ଗୋପାଳ ବଲ୍ଲ ପରେ ପରେ ସେହି ସୁରଦାସଙ୍କ ରଚନାରୁ ଉଦ୍ଧୃତ ନଟ୍ଟରୁ ଶୁଭରାଗମ୍- ପର୍ଶୁରାମ । ଶିବଙ୍କର ପାଞ୍ଚ ରୂପକୁ ନେଇ ପଞ୍ଚ ଶିବନ୍ ପରେ ପରେ ରାଗ ଦରବାରି ଉପରେ ତରାନା ଏବଂ ରାଗ ଜୌନପୁରୀ ଉପରେ ଭୀମ ମାରୁତି ଅଭଙ୍ଗ ପରିବେଶିତ ହୋଇଥିଲା । ସମସ୍ତ ପରିବେଶଣର ନୃତ୍ୟ ସଂଚାଳନ କରିଥିଲେ ନିଜେ ଗୁରୁ ଅନିଥା ଗୁହା । କାର୍ଯ୍ୟକ୍ରମ ଶେଷରେ ଥିଲା ପୁରୁଲିଆ ଛଉ ନୃତ୍ୟ ପରିବେଶଣ ଯାହାକୁ ପରିବେସିତ କରିଥିଲେ କାଳିପଦ ଛଉ ନୃତ୍ୟ ସମିତି ଅନୁଷ୍ଠାନର କଳାକାରମାନେ । ସେମାନଙ୍କର ପ୍ରସ୍ତୁତିରେ ଥିଲା ମହିଶାସୁର ବଦ୍ଧ । ଛଉ ନୃତ୍ୟ ପର୍ଯ୍ୟାୟରେ ମୁହଁରେ ମୁଖା ପରିଧାନ କରି ସମରକଳା ନୃତ୍ୟ ପରିବେଶଣ କରିଥିଲେ କଳାକାରମାନେ । ମହାଭାରତ ଓ ରାମାୟଣର ବିଭିନ୍ନ ଅଧ୍ୟାୟରୁ ଉଦ୍ଧୃତ ବିଷୟବସ୍ତୁକୁ ନେଇ ପୁରଲିଆ ଛଉ ନୃତ୍ୟ ପରିବେଶଣ ବେଶ୍ ଚମକ୍ରାର ଓ ଚିତାକର୍ଷକ ହୋଇଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଉପଭୋଗ କରିଥିଲେ । ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ମାନ୍ୟବର ମନ୍ତ୍ରୀ ବିଜ୍ଞାନ ଓ ବୈଷୟିକ ବିଭାଗ ଅଶୋକ ଚନ୍ଦ୍ର ପଣ୍ଡା; ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ; ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧକ୍ଷା ଶ୍ରୀମୟୀ ମିଶ୍ର ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡେ଼ମୀର ସଚିବ ଗୁରୁ ଅରୁଣା ମହାନ୍ତି । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ଇ. ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ସାୟିଦ୍ ।

Leave A Reply

Your email address will not be published.

3 + 1 =