୧୫ରେ କଂଗ୍ରେସର ୬ ଘଂଟିଆ ଓଡ଼ିଶା ବନ୍ଦ

ସକାଳ ୭ରୁ ଗୋଟାଏ ଯାଏ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ କଂଗ୍ରେସ ପକ୍ଷରୁ ୬ ଘଂଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ପେଟ୍ରୋଲ ଓ ଡିଜେଲ ଦରରେ ଆହେତୁକ ବୃଦ୍ଧି, କୋଟିଆର ମାମଲା, ମହାନଦୀ ଜଳ ବିବାଦ ଏବଂ ମାହାଙ୍ଗରେ ରାଜ୍ୟନୈତିକ ହତ୍ୟାକାଣ୍ଡ ଆଦି ଘଟଣାର ପ୍ରତିବାଦରେ କଂଗ୍ରେସ ୧୫ ତାରିଖ ଦିନ ସକାଳ ୭ଟାରୁ ଦିନ ୧ଟା ଯାଏଁ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାଂମ୍ବଦିକ ସମିଳନିରେ ଏହା ଘୋଷଣା କରି ଶ୍ରୀ ପଟ୍ଟନାୟକ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟ ବାସୀଙ୍କର ସହଯୋଗ ପାଇଁ ନିବେଦନ କରିଛନ୍ତି । ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ଏହି ବନ୍ଦକୁ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ମହାମାରୀ କରୋନା ପରଠାରୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଚାଲିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୭ ଟଙ୍କା ଟପିଥିବା ବେଳେ ମାଲକାନଗିରିରେ ଏହା ୯୦ ଟପିଲାଣି । ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି । ଯାହା ଉଭୟ ମଧ୍ୟବିତ ଓ ଗରିବ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡିଛି । ଏଭଳି ସ୍ଥଳେ କଂଗ୍ରେସ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତି ନେଇଛି । ଏପରିକି ରାଜ୍ୟର ସ୍ୱାର୍ଥ ଓ ଜନସଚେତନତା ଦୃଷ୍ଟିରୁ ଏହି ବନ୍ଦରେ ସାମିଲ ହେବାକୁ ଓଡ଼ିଶାବାସୀଙ୍କୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.

three × 1 =