ଭୁବନେଶ୍ୱର: ଆସନ୍ତା ୨ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିପାରେ । କିନ୍ତୁ ଏହାପରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବନୁମାନ କରିଛି । ସେପଟେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରୁ ଶୀତ ହଜିଯିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ତାଙ୍କ ଆକଳନ କହୁଛି, ଆଜିଠାରୁ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ବୃଦ୍ଧି ଘଟିବା ଆରମ୍ଭ ହୋଇଛି । ଅଧିକାଂଶ ସ୍ଥାନରେ ବି ଶୀତ କମିଛି । ଉପକୂଳ ଓଡ଼ିଶାରେ ୧୦ ତାରିଖରୁ ଶୀତ କମିଯିବ ଓ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଶୀତ ହେବାର ସମ୍ଭାବନା ବହୁତ କମ୍ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୦ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । ୧୧ ଓ ୧୨ ତାରିଖରେ ଏହି ତାପମାତ୍ରା ଜାରି ରହିବ ଓ ଏଥିରେ କୌଣସି ପରିବର୍ତନ ହେବ ନାହିଁ । ୧୨ ତାରିଖ ପରେ ପରବର୍ତୀ ୩ ଦିନରେ ଆଉ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ଆଭ୍ୟନ୍ତରୀଣ ଉତର ଓ କେନ୍ଦ୍ରୀୟ ଓଡ଼ିଶାରେ ଆସନ୍ତାକାଲିଠାରୁ ସର୍ବନିମ୍ନ ତାପମାତ୍ରା ଧୀରେଧୀରେ ବଢ଼ିବ ଓ ୧୩ ତାରିଖ ସୁଦ୍ଧା ପ୍ରାୟ ୪ ଡିଗ୍ରି ଅଧିକ ରହିବ ।