ଭୁବନେଶ୍ୱର: ଅନ୍ଲାଇନ୍ରେ ୱାସିଂ ମେସିନ୍ ବିକିବା ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା । ତାଙ୍କୁ ୧୯ ହଜାର ଟଙ୍କାର ଚୁନ୍ ଲଗାଇଲେ ସାରଇବର ଲୁଟେରା ।
ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶ୍ମା ମହାପାତ୍ର ଓଏଲ୍ଏକ୍ସରେ ନିଜ ୱାସିଂ ମେସିନ୍ ବିକିବାକୁ ବିଜ୍ଞାପନ ଦେଇଥିଲେ । ତେବେ ଜଣେ ସାଇବର ଲୁଟେରା ଫୋନ୍ କରି ତାଙ୍କଠାରୁ ୱାସିଂ ମେସିନ୍ କିଣିବା ବାହାନାରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ରେଶ୍ମା ।
ଲୁଟେରାଜଣଙ୍କ ତାଙ୍କ ଗୁଗୁଲ ପେ ଆକାଉଂଟରୁ ୧୯ ହଜାର ଟଙ୍କା ଲୁଟି ନେଇଥିବା ନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି । ଏଥିସହ ସାଇବର ହେଲ୍ପ ଡେସ୍କରେ ମଧ୍ୟ ଜଣାଇଛନ୍ତି । ଅଧ୍ୟାପିକାଙ୍କ ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପୋଲିସ୍ । ଏନେଇ ରେଶ୍ମା କହିଛନ୍ତି, ୱାସିଂ ମେସିନ୍ ବିକିବା ପାଇର୍ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲି । ଗତ ମଙ୍ଗଳବାର ଜଣେ ବ୍ୟକ୍ତିି ଫୋନ୍ କରି ହିନ୍ଦିରେ କଥାବାର୍ତା ହେଲେ । ଏହାପରେ ୱାସିଂ ମେସିନ୍ ନେବାକୁ ରାଜି ହୋଇ ୯ହଜାର ୫୦୦ ଟଙ୍କା ଛିଣ୍ଡିଲା । ଏହାପରେ ଅନ୍ଲାଇନ୍ ପେମେଂଟ କରିବାକୁ ନମ୍ବର ନେଇ ଏକ ସ୍କାନ କୋଡ ପଠାଇଲା । ସେଥିରେ ୫ ଟଙ୍କା ରିସିଭ କରିବାକୁ ଉଲ୍ଲେଖ ଥିଲା । ତାହାକୁ ସ୍କାନ କରି ଗୁଗୁଲ ପେରେ ପେମେଂଟ କରିବାକୁ କହିଲା । ପ୍ରଥମେ ୫ଟା ପଠାଇଲେ ୨ଥର ୫ଟଙ୍କା ମିଳିବ ବୋଲି କହିଲା । ସତରେ ୨ଥର ମିଳିବା ପରେ ମନରେ ବିଶ୍ୱାସ ଜନ୍ମିଲା । ଏହାପରେ ବ୍ୟକ୍ତିଜଣଙ୍କ ତାଙ୍କ ଆକାଉଂଟରୁ ସାଢେ ୯ହଜାର ଟଙ୍କା ସ୍ୱାପ ମେସିନ୍ରେ କାଟିଥିବାର ମେସେଜ ପଠାଇ ୧୫ ମିନିଟ୍ ମଧ୍ୟରେ ଟ୍ରାନ୍ଜାକ୍ସନ କରିବାକୁ କହିଲେ । ମାତ୍ର ଏଥିପାଇଁ ଆକାଉଂଟରେ ଟଙ୍କା ଥିବା ସହ ପଠାଇବାକୁ କହିଲା । ଏହାପରେ ସ୍ୱାମୀଙ୍କ ଆକାଉଂଟରୁ ଟଙ୍କା ଆଣି ପଠାଇଲି । ପ୍ରଥମେ ସାଢେ ୯ହଜାର ଟଙ୍କା ପଠାଇଲି । ହେଲେ ୨ଥର ପଠାଇବାକୁ କହିଲା । ପୁଣି ଥରେ ସ୍ୱାମୀଙ୍କ ଆକାଉଂଟରୁ ସାଢେ ୯ହଜାର ଟଙ୍କା ଆଣି ପଠାଇଲି । ହେଲେ ଟଙ୍କା ନଆସିବାରୁ ସନେ୍ଦହ ହେଲା । ଏନେଇ ପଚାରିବାରୁ ମୋ’ର କିଛି ହେବନି । ପେମେଂଟ କରିଛି । ନବାକୁ ଯଦି ଚାହୁଁଛନ୍ତି, ତା ହେଲେ ପୁଣି ଥରେ ଆକାଉଂଟରେ ୧୯ହଜାର ଟଙ୍କା ରଖି ସେପରି ଟ୍ରାନଜାକ୍ସନ କରିବାକୁ କହିଲା ଲୁଟେରା ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ସାଇବର ହେଲ୍ପ ଡେସ୍କକୁ ମାସେ ପୂରିଥିବା ବେଳେ ଗତକାଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ୱର ବାସିନ୍ଦା ଅଧିକ ସାଇବର ଠକ ହାବୁଡରେ ପଡୁଥିବା କହିଥିଲେ । ଏପରିକି ସମଗ୍ର ରାଜ୍ୟରେ ଗତ ମାସେ ମଧ୍ୟରେ ସମୁଦାୟ, ୧କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ଠକେଇ ହୋଇଥିବା ବେଳେ ଭୁବନେଶ୍ୱର କେବଳ ୫୨ ଲକ୍ଷ ୧୬ ହଜାର ୪୮୩ ଟଙ୍କା ଠକେଇ ହୋଇଥିବା କହିଥିଲେ । ଏପରି ଲୁଟ୍ରୁ ରକ୍ଷା ପାଇବାକୁ ହେଲେ ନିଜକୁ ଅଧିକ ସତର୍କ, ସଚେତନ ରହିବାକୁ ପଡିବ ବୋଲି ଗତକାଲି ସିପି ଜନସାଧାରଣଙ୍କୁ ଅନୁରୋଧ କରିଥିବା ବେଳେ ଆଜି ଏପରି ଏକ ମାମଲା ପୁଣି ରାଜଧାନୀରେ ସାମାନାକୁ ଆସିଛି ।