ଚଳିତ ବର୍ଷ ଖଣ୍ଡଗିରି ମେଳା ବନ୍ଦ

ଭୁବନେଶ୍ୱର: ମାଘ ସପ୍ତମୀର ଆରମ୍ଭ ହେଉଥିବା ଖଣ୍ଡଗିରି କୁମ୍ଭ ମେଳା ଏ ବର୍ଷ ହେବନି । କେବଳ ପରମ୍ପରା ଅନୁଯାୟୀ ଜାଗମରାସ୍ଥିତ ନାଗା ମଠରୁ ପ୍ରଭୁ ଅନନ୍ତ କେଶରୀ ଉଦୟଗିରି ରାଣୀଗୁମ୍ଫାକୁ ବିଜେ କରିବେ । ମା’ ବାରଭୁଜାଙ୍କ ନିକଟରେ ପୂଜାର୍ଚ୍ଚନା ଓ ବିଶ୍ୱ ଶାନ୍ତି ମହାଯଜ୍ଞ ହେବ । ଏଥର ମେଳାରେ କୌଣସି ଷ୍ଟଲ୍ ପଡିବନି କି ଯାତ୍ରା ମଧ୍ୟ ହେବନି । ସବୁ କରୋନା କଟକଣା ଅନୁଯାୟୀ ହେବ ବୋଲି ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ନିଦେ୍ର୍ଧଶନାମା ଜାରି କରିଛନ୍ତି । ଜାତୀୟ ରାଜପଥ-୫ର ସମ୍ପ୍ରସାରଣ ଚାଲୁଥିବାରୁ ଖଣ୍ଡଗିରି ଛକରେ ଅଣଓସାରିଆ ରାସ୍ତା ଅଛି । ମେଳା ହେଲେ ଏଠାରେ ଅସମ୍ଭାଳ ଭିଡ଼ ଜମିବା ଅଧିକ ଗହଳି ହେଲେ ଦୁର୍ଘଟଣା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ । ମେଳା ପାଇଁ ଆବଶ୍ୟକ ଜାଗା ନ ଥିବାରୁ ଷ୍ଟଲ ପଡ଼ିପାରିବନି । ତେଣୁ ଏଥର ଷ୍ଟଲ୍ ପଡ଼ିବନି କି ଯାତ୍ରା ହେବନି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ନିକଟରେ ହାଇକୋର୍ଟ ଏକ ପିଟିସନ୍ର ଶୁଣାଣି କରି ନିଦେ୍ର୍ଧଶ ଦେଇଥିଲେ ଯେ ମାଘ ସପ୍ତମୀଠାରୁ ୧୨ ଦିନ ପର୍ଯ୍ୟନ୍ତ ଅପେରା ଓ ମେଳା ପାଇଁ ତିନି ମାସ ଆଗରୁ କର୍ତୃପକ୍ଷଙ୍କ ନିକଟରେ ଆବେଦନ କରିବାକୁ ହେବ । ଏହା ଉପରେ ବିଚାର କରି ବିଏମ୍ସି ଅନୁମତି ଦେବ । ବିଭିନ୍ନ ଯାତ୍ରା କମିଟି ହାଇକୋର୍ଟ ଏହି ନିଦେ୍ର୍ଧଶନାମା ବିଏମ୍ସିକୁ ଦେବା ସହ ଖଣ୍ଡଗିରି ମେଳାରେ ଯାତ୍ରା ଓ ଷ୍ଟଲ ପକାଇବାକୁ ଆବେଦନ କରିଥିଲେ । ଏ ନେଇ ଗତ ୨ ତାରିଖରେ ଏନେଇ ବୈଠକ ହୋଇଥିଲେ ହେଁ କିଛି ନିଷ୍ପତି ହୋଇପାରିନଥିଲା । କିଛି ଯାତ୍ରା କମିଟି କୋଭିଡ କଟକଣା ଅନୁଯାୟୀ କରିବେ ବୋଲି କହିଥିଲେ । ଜାଗମରା ମେଳଣ ପଡ଼ିଆରୁ ଖଣ୍ଡଗିରି ପାହାଡ ଦିଗରେ ଏବଂ ଖଣ୍ଡଗିରି ପାହାଡ ଶୌଚାଳୟଠାରୁ ଶିବାନନ୍ଦ ସ୍କୁଲ ମଧ୍ୟରେ ଯାତ୍ରା କରିବାକୁ ପ୍ରସ୍ତାବ ଦେଇଥିଲେ । ଆଉ କିଛି କମିଟି ଏଥର ଯାତ୍ରା ନ କରିବାକୁ କହିଥିଲେ । ଏହାପରେ ସବୁ ଦିଗକୁ ବିଚାର କରି ଏଥର ଖଣ୍ଡଗିରି ମେଳା ବନ୍ଦ କରାଯାଇଛି । ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । କଣ୍ଡଗିରି ମେଳା ହେବାନାହିଁ ବୋଲି ବିଏମ୍ସି ନିଷ୍ପତି ଶୁଣାଇବା ପରେ ମେଳାରେ ଭଲ ରୋଜଗାର ଆଶା ବାନ୍ଧିଥିବା ବିଭିନ୍ନ ଦୋକାନୀ, ବ୍ୟବସାୟୀ ଏବଂ ଯାତ୍ରା କମିଟିଗୁଡିକ ମଧ୍ୟରେ ନୈରାଶ୍ୟ ସୃଷ୍ଟି ହୋଇଛି । ଖଣ୍ଡଗିରି ମେଳା ଆୟୋଜନ ନେଇ ଯାତ୍ରା କମିଟିଗୁଡ଼ିକ ଆବେଦନ କରିବା ଦିନଠାରୁ ବିଏମ୍ସି ଏ ନେଇ ସକାରାତ୍ମକ ପଦକ୍ଷେପ ନେଇ ନ ଥିଲା ।

Leave A Reply

Your email address will not be published.

11 + 5 =