ଓଡିଶା ବନ୍ଦ ଶାନ୍ତିପୂର୍ଣ୍ଣ : ଜୀବନଯାତ୍ରା ଠପ୍

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ୍ ଓ ରନ୍ଧନଗ୍ୟାସ୍ର ଅହେତୁକ ମୂଲ୍ୟବୃଦ୍ଧି, ରାଜ୍ୟରେ ବେକାରୀ ବୃଦ୍ଧି, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀସମସ୍ୟା, ବିପର୍ଯ୍ୟସ୍ଥ ଆଇନ୍ ଶୃଙ୍ଖଳା ପରିସ୍ଥିତିି, ରାଜନୈତିକ ହିଂସାକାଣ୍ଡ, ଜଳଜମୀ ଜଙ୍ଗଲରେ ସୂରକ୍ଷାରେ ରାଜ୍ୟସରକାରଙ୍କ ଅପରାଗତା ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ୬ଘଂଟିଆ ଓଡିଶା ବନ୍ଦ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଥିଲା ବେଳେ ବନ୍ଧ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।
ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ଯୋଗୁଁ ରାଜ୍ୟରେ ଯାନବାହାନ ପ୍ରଭାବିତ ହୋଇଥିଲା ବେଳେ ଦୋକାନ ବଜାର, ବାଣିଜ୍ୟକ ପ୍ରତିଷ୍ଠାନ, ସ୍କୁଲ, କଲେଜ୍ ଆଦି ଶିକ୍ଷ୍ୟାନୁଷ୍ଠାନ ବନ୍ଦ ରହିଛି । ବସ୍ ବନ୍ଦ ଯୋଗୁଁ ଦୂର ଦୂରାନ୍ତକୁ ଯାଉଥିବା ଯାତ୍ରୀମାନେ ବିଭିନ୍ନ ବସ୍ଷ୍ଟାଣ୍ଡରେ ଅଟକି ରହିଥିଲେ । ସେହିପରି ରେଳ ଚଳାଚଳ ବ୍ୟାହତ ଯୋଗୁଁ ବିଭିନ୍ନ ଷ୍ଟେସନ୍ରେ ହଜାର ହଜାର ଯାତ୍ରୀ ଅଟକି ରହିଥିବା ଲକ୍ଷ୍ୟ କରାଯାଇଥିଲା । ରାଜ୍ୟ ଓ ଜାତୀୟ ରାଜପଥରେ ବନ୍ଦ ସମର୍ଥନକାରୀଙ୍କ ପିକେଟିମ୍ ଯୋଗୁଁ ରାସ୍ତାରେ ହଜାର ହଜାର ଟ୍ରକ, ଓ ଅନ୍ୟାନ୍ୟ ଯାନବାହାନ ଅଟକି ରହିଥିଲା । ଏହି ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ଏକପ୍ରକାର ବିପର୍ଯ୍ୟସ୍ଥ ହୋଇଥିଲା ବେେଳେ ରାଜ୍ୟର କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ଘଟିଥିବା ରିପୋର୍ଟ ମିଳିନାହିଁ । ତେବେ ବନ୍ଦର ପ୍ରଭାବ ସାରା ରାଜ୍ୟରେ ଅନୁଭୁତ ହୋଇଛି । ରାସ୍ତାଘାଟ୍ ଦୋକାନ ବଜାର ଏକ ପ୍ରକାର ଜନଶୂନ୍ୟ ହୋଇପଡିଥିଲା । ସେହିପରି ପେଟ୍ରୋଲ ଟ୍ୟାଙ୍କ ଗୁଡିକ ମଧ୍ୟ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା । ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସର ଆକାଶ ଛୁଆଁ ମୂଲ୍ୟବୃଦ୍ଧି ଯୋଗୁଁ ବନ୍ଦ ପ୍ରତି ସ୍ୱତଃପ୍ସୃତ ସମର୍ଥନ ମଧ୍ୟ ଲକ୍ଷ୍ୟ କରାଯାଇଥିଲା । ସାରା ରାଜ୍ୟରେ କଂଗ୍ରେସର ବନ୍ଦ ଡାକରା ଦେଇଥିବା ବେଳେ କଟକ, ପୁରୀ, ବାଲେଶ୍ୱର, ମାଲକାନଗିରି, ଝାରସୁଗୁଡା ସମେତ ରାଜ୍ୟର ସମସ୍ତ ଜିଲ୍ଲା ତଥା ଅଞ୍ଚଳରେ ବନ୍ଦର ପ୍ରଭାବ ଅନୁଭୁତ ହୋଇଛି । ବନ୍ଦକୁ ସଫଳ କରିବାପାଇଁ ଆଜି ସକାଳ ୭ଟାରେ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ କଂଗ୍ରେସ କର୍ମୀ ଓହ୍ଲାଇ ଆସିଥିଲେ । ସେମାନେ ରାଜରାସ୍ତା, ହାଟବଜାର ଏବଂ ସରକାରୀ କାର୍ଯ୍ୟଳୟ ଗୁଡିକ ସମ୍ମୁଖରେ ପିକେଟିଂ କରିଥିଲେ ।
କଂଗ୍ରେସର ଓଡିଶା ବନ୍ଦ ପ୍ରଭାବ ରାଉରକେଲାରେ ବି ପଡିଛି, ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି । ଜିଲ୍ଲା ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ପାନପୋଷ ଗାନ୍ଧୀ ଛକରେ ଜାତୀୟ ରାଜପଥ ଅବରୋହଧ କରିଛନ୍ତି । ଏହାଫଳରେ ଶହ ଶହ ଗାଡି ଅଟକି ରହିଛି । ବାହାର ରାଜ୍ୟକୁ ଯାତାୟତ କରୁଥିବା ବସଗୁଡିକ ବସଷ୍ଟାଣ୍ଡରେ ଅଟକି ରହିଛି । ଶତାଧିକ ଯାତ୍ରୀ ଅଟକି ରହିଛନ୍ତି । ସମ୍ଭାବ୍ୟ ସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଣେ ଜାତୀୟ ରାଜପଥରେ ଯାଜପୁର ଜିଲ୍ଲାର ଧର୍ମଶାଳାରେ କଂଗ୍ରେସ କର୍ମୀ ଓ ନେତାମାନେ ରାସ୍ତା ଅବରୋଧ କରିଛନ୍ତି ।
ରାଜ୍ୟକଂଗ୍ରେସ ବନ୍ଦର ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ୍ପକ୍ଷରୁ କଡା ସୂରକ୍ଷା ବ୍ୟବସ୍ଥା ସ୍ୱରୁପ ୮୦ ପ୍ଲାଟୁନ୍ ସଶସ୍ତ୍ର ପୋଲିସ୍ ବାହୀନିକୁ ମୃତୟନ କରାଯାଇଥିଲା । ସେହିପରି ରାଜଧାନୀ ଭୁବନେଶ୍ୱର ଓ କଟକରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୫ ପ୍ଲାଟୁନ ନିୟୋଜିତ ହୋଇଥିଲେ । ଅନ୍ୟପକ୍ଷରେ ଓଡିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ପିସିସି ନିରଞ୍ଜନ ପଟ୍ଟନାୟକ କହିଛନ୍ତିି । ତୈଳ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ଜନସାଧାରଣଙ୍କୁ ବାଧିଛି । ବନ୍ଦପ୍ରତି ରାଜ୍ୟବାସୀ ସ୍ୱତଃପ୍ସୃତ ସମର୍ଥନ କରିଥିବାରୁ ସେ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

three × 2 =