ଯାଜପୁର : ମାତୃଭାଷାର ଉନ୍ନତି ହିଁ କୌଣସି ଜାତି ପାଇଁ ଏକ ବିଶେଷ ଅବଦାନ ଓ ଗୁରୁତ୍ୱ ବହନ କରିଥାଏ । କାରଣ ପୃଥିବୀ ପୃଷ୍ଠରୁ ଅନେକ ଭାଷା ବ୍ୟବହାର ଓ ସୁରକ୍ଷା ଅଭାବରୁ ଉଭେଇ ଗଲାଣି । ତେଣୁ ନିଜ ନିଜ ମାତୃଭାଷାର ସୁରକ୍ଷା ଓ ବ୍ୟାପକ ବ୍ୟବହାର ପାଇଁ ପ୍ରତ୍ୟେକ ଉଦ୍ୟମ କରିବାକୁ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଫେବୃଆରୀ ୨୧ତାରିଖ ରବିବାର ବିଶ୍ୱ ମାତୃଭାଷା ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ରମାକାନ୍ତ ସାହୁ ମା ଓ ମାତୃଭୂମି ଭଳି ମାତୃଭାଷା ମଧ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମ ମାତୃଭାଷା ଓଡିଆର ବ୍ୟପକ ବ୍ୟବହାର ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି, ଶିକ୍ଷକ ସୁବାଷ ଚନ୍ଦ୍ର ଜେନା ଓ ମାଳତୀ ପତି ପ୍ରମୁଖ ଯୋଗଦେଇ ମାତୃଭାଷାର ସମୃଦ୍ଧି ପାଇଁ ପ୍ରତ୍ୟେକ ସ୍ତରରେ ନିଷ୍ଠାର ସହ କାର୍ଯ୍ୟକରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ତଥା ସଂସ୍ଲୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରି ଆମ ମାତୃଭାଷା ଓଡିଆ ଏକ ପ୍ରାଚୀନ ଭାଷା ଓ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷା ବୋଲି କହିଥିଲେ । ଏହା ଯେପରି ସରଳ, ବୋଧଗମ୍ୟ ଓ ସୁନ୍ଦର, ତାହାର ଉଚାରଣ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ସରକାର ଓଡିଆ ଭାଷାର ସୁରକ୍ଷା, ପ୍ରଚାର ଓ ପ୍ରସାର ପାଇଁ ବହୁବିଧ ବ୍ୟବସ୍ଥା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ବିଦ୍ୟାର୍ଥୀ ଋତୁପର୍ଣ୍ଣା ସାମଲ, ଜ୍ୟୋତିଶଙ୍କର ପାଢୀ, ସବ୍ୟସାଚୀ ବେହେରା, ଶୁଭ୍ରାସିନୀ ଜେନା ମାତୃଭାଷା ଦିବସ ପାଳନ ସମ୍ପର୍କରେ ମତ ରଖିଥିଲେ ।