ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍‌

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୪ଟା ବେଳେ ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍‌ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

୨୦୧୩ ଫେବ୍ରୁଆରି ୯ ତାରିଖରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ତୀରଥସିଂହ ରାଓ୍ଵାତ୍‌ ଉତ୍ତରାଖଣ୍ଡ ‘ବିଜେପି’ର ମୁଖ୍ୟ ଥିଲେ। ଏହା ବ୍ୟତିରେକେ, ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସେ ମଧ୍ୟ ଚୌବଟ୍ଟାଖାଲ ନିର୍ବାଚନ ମଣ୍ଡଳୀରୁ ଉତ୍ତରାଖଣ୍ଡ ବିଧାନସଭାର ବିଧାୟକ ଥିଲେ।

ସମ୍ପ୍ରତି ସେ ଉତ୍ତରାଖଣ୍ଡ ଅନ୍ତର୍ଗତ ଗଢ଼ଓ୍ଵାଲ୍‌ର ସାଂସଦ ଅଛନ୍ତି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, ଛୋଟିଆ ଗାଁର ବାସିନ୍ଦା ମୋ ଭଳି ଜଣେ ତୁଚ୍ଛ କର୍ମୀଙ୍କ ଉପରେ ଭରସା ରଖିଥିବାରୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଦଳର ମୁଖ୍ୟଙ୍କୁ ଧନ୍ୟବାଦ ଜଣାଉଛି। ଏଭଳି ସ୍ଥାନରେ ପହଞ୍ଚିବି ବୋଲି କେବେ କଳ୍ପନା କରି ନ ଥିଲି। ଲୋକମାନଙ୍କର ଆକାଙ୍‌କ୍ଷା ପୂରଣ ଲାଗି ସବୁ ମତେ ଉଦ୍ୟମ କରିବା ସହ ଗତ ଚାରି ବର୍ଷରେ ହୋଇଥିବା କାର୍ଯ୍ୟକୁ ଆହୁରି ଆଗେଇ ନେବୁ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପରେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ସଂକ୍ରାନ୍ତରେ ବିଭିନ୍ନ କଳ୍ପନାଜଳ୍ପନା ଚାଲିଥିଲା।

ମୁଖ୍ୟମନ୍ତ୍ରୀ ଚୟନ କରିବା ଲାଗି ଆଜି ପୂର୍ବାହ୍ନରେ ଉତ୍ତରାଖଣ୍ଡର ଡେରାଡୁନ୍‌ରେ ଥିବା ବିଜେପି କାର୍ଯ୍ୟାଳୟରେ ବିଧାୟକ ଦଳର ବୈଠକ ନିମନ୍ତେ ବିଜେପି ନେତୃବୃନ୍ଦ ସମବେତ ହୋଇଥିଲେ। ବିଧାୟକ ସୁରେଶ ରାଠୋର୍‌ କହିଥିଲେ, ଆମେ ମୁଖ୍ୟମନ୍ତ୍ରୀ ହେଲା ଭଳି ଜଣେ ପ୍ରାର୍ଥୀଙ୍କୁ ଖୋଜୁଛୁ।
ରମେଶ ପୋଖରିୟାଲ୍‌ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଅନେକେ ବିଶ୍ୱାସ କରୁଥିଲେ। ମୁଖ୍ୟମନ୍ତ୍ରୀ ପଦବୀ ଲାଗି ଦ୍ୱିତୀୟ ବିକଳ୍ପ ଭାବେ ଉତ୍ତରାଖଣ୍ଡର ପୌରି ଜିଲ୍ଲାର ଧନ ସିଂହ ରାଓ୍ଵତ୍‌ଙ୍କୁ ମଧ୍ୟ ଜଣେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର କରାଯାଉଥିଲା।

Leave A Reply

Your email address will not be published.

4 × five =