ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ : ଶିକ୍ଷକ ଫେରାର୍

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ପାଠ ପଢାଉଥିବା ଶିକ୍ଷକ ବାରମ୍ବାର ଦୁଷ୍କର୍ମ କରିଥିବା ମ.ରାମପୁର ଥାନାରେ ଅଭିଯୋଗ ହୋଇଛି । ବର୍ତମାନ ଶିକ୍ଷକ ଫେରାର ଥିବା ଜଣାପଡିଛି । ପ୍ରାପ୍ତ ସୂଚନାମତେ ମ.ରାମପୁର ବ୍ଲକ ବେଲଗାଁ ୟୁଜିଏମଇ ସ୍କୁଲର ଶିକ୍ଷକ ହିମାଦ୍ରି ମଳୟ ମଙ୍ଗରାଜ ଗତ ୨ ବର୍ଷ ଧରି ସେହି ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଏୟେଶୀ (ଛଦ୍ମନାମ) କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ । ଗତ ୭ ତାରିଖ ଦିନ ଶିକ୍ଷକ ପିଡୀତ ଛାତ୍ରୀଙ୍କୁ ଧରି ଫେରାର ହୋଇ ଯାଇଥିଲେ । ପରେ ପରିବାର ଲୋକେ ମ.ରାମପୁର ଥାନରେ ଛାତ୍ରୀ ଜଣକ ନିଖୋଜ ହୋଇଥିବା ଲିଖିତ ଅଭିଯୋଗ କରିଥିଲେ । ପିଡୀତାଙ୍କ ବୟାନ ଅନୁଯାୟୀ ଗତ ୭ ତାରିଖ ଦିନ ଜନୈକ ଶିକ୍ଷକ ଛାତ୍ରୀଙ୍କୁ ପ୍ରଥମେ ପଲମ ଗ୍ରାମକୁ ନେଇ ଏକ ଭଡାଘରେ ଦୁଇ ଦିନ ରଖିଥିଲେ । ତାହାପରେ ନିକଟସ୍ଥ ଘୋଡାବନ୍ଧ ଗ୍ରାମରେ ଗୋଟିଏ ଦିନ ରଖି ପରଦିନ ସକାଳୁ ନିଜ ବାଇକ ଯୋଗେ ଭୁବନେଶ୍ୱର ନେଇଥିଲେ । ଭୁବନେଶ୍ୱରରେ ଗୋଟିଏ ଦିନ ବୁଲାବୁଲି କରିସାରିଲା ପରେ ପିଡୀତା ଛାତ୍ରୀଙ୍କୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଠାରେ ଟିକଟ କରାଇ ପଲମ ଗ୍ରାମକୁ ଯିବାକୁ କହି ବସରେ ବସାଇଦେଇଥିଲେ । ପରେ ପୀଡିତା ପଲମ ଗ୍ରାମକୁ ଆସି ରହିଥିଲେ ଏବଂ ଶିକ୍ଷକଙ୍କୁ ବାରମ୍ବାର ଫୋନ କରିଥିଲେ ସୁଦ୍ଧା ଫୋନ ସୁଇଚ ଅଫ ଥିଲା । ପର ମୂହୁର୍ତରେ ଶିକ୍ଷକଙ୍କ ସହିତ କଥାବାର୍ତା ହେଲାପରେ ଶିକ୍ଷକ ଜଣକ କୁଆଡେ ମୁଁ ଆଉ ଦୁଇ ଦିନ ମଧ୍ୟରେ ତୋ ପାଖରେ ପହଁଚିବି ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ତାହାର ଦୁଇଦିନ ପରେ ଶିକ୍ଷକ ଜଣକ ପିଡୀତାଙ୍କ ପାଖକୁ ଆସିନଥିବାରୁ ପୀଡିତା ଜଣକ ମ.ରାମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ବର୍ତମାନ ଶିକ୍ଷକ ଫେରାର ଥିବା ଜଣାପଡିଛି । ଏନେଇ କେଶ ନଂ ୫୧/୨୦୨୧ରେ ଏକ ମାମଲା ରୁଜୁ ହୋଇଛି । ଏନେଇ ମ.ରାମପୁର ଥାନାଧିକାରୀ ଜୟଦେବ ତାରିଣୀଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ବୋଲି ଉତରରେ କହିଥିଲେ ।

Leave A Reply

Your email address will not be published.

14 + 9 =