ମଦ ପିଇବାକୁ ଟଙ୍କା ନଦେବାରୁ ହଣାଖାଇଲେ ପତ୍ନୀ ଓ ବାପା

ଭଞ୍ଜନଗର: ମଦ ପିଇବାକୁ ଟଙ୍କା ମାଗି ଏଥିରେ ବିଫଳ ହେବାରୁ ରାଗରେ ଏକ ଧାରୁଆ ଅସ୍ତ୍ରରେ ନିଜ ପତ୍ନୀ ଓ ବାପାଙ୍କୁ ହାଣିବା ଭଳି ଏକ ଅଭାବନୀୟ ଘଟଣା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୁଚନା ପ୍ରକାରେ ଶିଶୁଣ୍ଡା ଗ୍ରାମର ଗୋପୀନାଥ ସାମଲଙ୍କ ପୁଅ ହୃଷିକେଶ ସାମଲ(୩୬) ଜଣେ ଅଭ୍ୟାସଗତ ମଦୁଆ ଅଟନ୍ତି । ଦିନସାରା ସେ ମଦରେ ବୁଡି ରହୁଥିବାରୁ ପରିବାରରେ ଏହାକୁ ନେଇ ଅଶାନ୍ତି ଲାଗିରହୁଥିବାବେଳେ ଶନିବାର ସଂଧ୍ୟାରେ ମଦ ପିଇବାକୁ ହୃଷିକେଶ ତାଙ୍କ ପତ୍ନୀ ସୁଚିତ୍ରା ସାମଲ(୩୦)ଙ୍କୁ କିଛି ଟଙ୍କା ମାଗିଥିଲା । ହେଲେ ପତ୍ନୀ ଏହାକୁ ସଫା ମନା କରିଦେଇଥିଲେ । ଫଳରେ ହୃଷିକେଶଙ୍କ ରାଗ ପଞ୍ଚମକୁ ଉଠିଥିଲା । ରାତିରେ ଖାଇପିଇ ସାରି ସଭିଏଁ ହୋଇଯାଇଥିବାବେଳେ ହୃଷିକେଶ କିନ୍ତୁ ମଦ ପାଇ ଟଙ୍କା ଦେବାକୁ ମନା କରିଥିବା ପତ୍ନୀ ସୁଚିତ୍ରା ଓ ଏହାକୁ ବାରଣ କରିଥିବା ତାର ବାପା ଗୋପୀନାଥଙ୍କ ଉପରେ ପ୍ରଚଣ୍ଡ ରାଗି ନିଆଁବାଣ ହୋଇଯାଇଥିଲା । ତେଣୁ ରାତି ପାଖାପାଖି ୩ଟାରେ ସେ ଏକ ଧାରୁଆ ଅସ୍ତ୍ରରେ ଶୋଇଥିବା ପତ୍ନୀ ସୁଚିତ୍ରା ଓ ବାପା ଗୋପୀନାଥଙ୍କ ଉପରେ ଆକ୍ରମଣ କରିଥିଲା । ଉଭୟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶଯ୍ୟାରେ ପଡି ଛଟପଟ ହେଉଥିବାବେଳେ ହୃଷିକେଶ ଧାରୁଆ ଅସ୍ତ୍ର ସହ ଜଗନ୍ନାଥପ୍ରସାଦ ଥାନାକୁ ଆସି ଆତ୍ମସମର୍ପଣ କରିଥିବା ଜଣାପଡିଛି । ଅପରପକ୍ଷରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକ୍ରାର କରୁଥିବା ଶୁଣି ସାହିବାସିନ୍ଦା ନିଦରୁ ଉଠିବାସହ ଏଭଳି କାରନାମା ଦେଖି ଗୁରୁତର ଶଶୁର ଓ ବୋହୁଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କ ରିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ ସୁଧାର ନଆସିବାରୁ ଗୁରୁତର ଶଶୁର ଓ ବୋହୁଙ୍କୁ ଏଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଏବେ ଜଗନ୍ନାଥପ୍ରସାଦ ଥାନା ଅଂଚଳରେ ଚହଳ ସୃଷ୍ଟି କରିଛି ।

Leave A Reply

Your email address will not be published.

seven + nineteen =