ଢାକା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ଯାଇ ବାଂଲାଦେଶରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କୁ ସ୍ୱାଗତ କରିଥିଲେ। ଢାକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ବାଂଲାଦେଶର ସ୍ୱାଧୀନତାର ୫୦ ବର୍ଷ ପୁର୍ତ୍ତି ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶରେ ପହଞ୍ଚିଛନ୍ତି । କରୋନା ଏବଂ ଲକଡାଉନ୍ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ।
ପଡୋଶୀ ଦେଶର ଜାତୀୟ ଦିବସ ସହିତ ବାଂଲାଦେଶର ଜନକ ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ମଧ୍ୟ ପାଳନ କରାଯାଉଛି । ଏହି ଗସ୍ତ ପୂର୍ବରୁ ପିଏମ ମୋଦୀ ଟ୍ୱିଟ କରି କହିଛନ୍ତି ଯେ ବାଂଲାଦେଶ ସହ ଆମର ସହଭାଗିତା ହେଉଛି ‘ପଡ଼ୋଶୀ ପ୍ରଥମ’ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଆମେ ଏହାକୁ ଗଭୀର ଏବଂ ବ୍ୟାପକ କରିବା ପାଇଁ ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ବାଂଲାଦେଶର ବିକାଶର ଉଲ୍ଲେଖନୀୟ ଯାତ୍ରାକୁ ଆମେ ସମର୍ଥନ ଜାରି ରଖିବୁ।
ସେ କହିଛନ୍ତି ଯେ ଶେଖ ମୁଜିବୁର ରହମାନଙ୍କ ଜୀବନ ଏବଂ ଆଦର୍ଶ, ବାଂଲାଦେଶର ସ୍ୱାଧୀନତା ପାଇଁ ଯୁଦ୍ଧ ଏବଂ ଦୁଇ ଦେଶ ମଧ୍ୟରେ ୫୦ ବର୍ଷର କୂଟନୖତିକ ସମ୍ପର୍କ ସମାରେହରେ ସେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟ ମଧ୍ୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପାଞ୍ଚଟି ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ରହିଛି।