ସମ୍ବଲପୁରରେ ବ୍ରାଉନ ସୁଗର ଜବତ, ୩ ଗିରଫ

ସମ୍ବଲପୁର: ସମ୍ବଲପୁରରେ ବିଭିନ୍ନ ନିଶା କାରବାର ବେଧଡକ ଚାଲୁଥିବା ବେଳେ ବିଗତ କିଛି ମାସ ହେବ ସମ୍ବଲପୁର ଜିଲ୍ଲାରେ ଉପକୂଳବର୍ତୀ ଅଂଚଳ ଭଳି ବ୍ରାଉନ ସୁଗରର ନିଶା କାରବାର ବେଶ ବୃଦ୍ଧି ପାଇଛି ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏହି କ୍ରମରେ ସମ୍ବଲପୁରର ଟାଉନ ପୋଲିସର ଚଢ଼ଉ ସମୟରେ ବ୍ରାଉନ ସୁଗାର ସମେତ ୩ ଜଣ ବ୍ୟକ୍ତିଙ୍କୁ ଧରାଯିବାରୁ ସାରା ଜିଲ୍ଲାରେ ଚାଂଚଲ୍ୟ ଖେଳିଯାଇଛି । ସୂଚନାନୁଯାୟୀ, ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ବୁଧବାର ସକାଳ ସମୟରେ ଟାଉନ ଥାନା ସମ୍ମୁଖରେ ରହିଥିବା ସାହୁ କଲୋନୀରେ ୩ ଜଣ ଡ୍ରଗ ନିଶା କାରବାରୀଙ୍କୁ ନିଶାଖୋର ମାନଙ୍କୁ ବ୍ରାଉନ ସୁଗାର ବିକ୍ରି ଉଦ୍ୟବ କରୁଥିବା ବେଳେ ସ୍ପେଶାଲ ସ୍କ୍ୱାର୍ଡ ଓ ଟାଉନ ପୋଲିସର ମିଳିତ ଚଢ଼ଉ ସମୟରେ ଧରା ପଡିଥିଲେ । ଚଢ଼ଉ ସମୟରେ ଧନୁପାଲି ଥାନା ନିବାସୀ ମୋତିଝରନର ମହମ୍ମଦ ଆରିଫ (୩୪), ଚାରଭାଟିର ବିକାଶ ଡୁଡକିଆ (୨୩) ଓ ଟାଉନ ଥାନା ନିବାସୀ ବଂଟି ପ୍ରଧାନ (୨୩)ଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କ ନିକଟରୁ ୭.୬ଗ୍ରାମର ଆନୁମାନିକ ୧ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର, ନଗଦ ୩ ହଜାର ୭ ଶହ ୪୦ ଟଙ୍କା, ତିନିଟି ମୋବାଇଲ ଓ ୨ଟି ସ୍କୁଟି ଜବତ କରିଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ସମ୍ବଲପୁର ଏସଡିପିଓ ତପନ କୁମାର ମହାନ୍ତି ଜଣାଇଛନ୍ତି । ତେବେ ବ୍ରାଉନ ସୁଗାର ଜବତ ହେବା ଘଟଣା ସମ୍ବଲପୁରରେ ପ୍ରଥମ ବୋଲି କୁହାଯାଉଛି । ସମ୍ବଲପୁର ଟାଉନ ଥାନା ସମ୍ମୁଖରେ ରହିଥିବା ସାହୁ କଲୋନୀରେ ବ୍ୟାପକ ନିଶା କାରବାର ଚାଲୁଥିବା ବେଳେ ପୋଲିସର ଠିକ ନାକ ତଳେ ରହିଥିବା ଏହି ଅଂଚଳରେ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାରେ ସମ୍ବଲପୁର ପୋଲିସ ସମ୍ପୁର୍ଣ୍ଣ ବିଫଳ ରହିଛି । ପୂର୍ବରୁ ବେଆଇନ ନିଶା କଫ ସିରଫ ଓ ନିଶା ବଟିକା ସମେତ ଅପମିଶ୍ରିତ କଫ ସିରଫ ବେପାରର ସମ୍ବଲପୁର ମଧ୍ୟରେ ପ୍ରମୁଖ କେନ୍ଦ୍ର ରୂପେ ଦୁର୍ନାମ ଅର୍ଜନ କରିଥିବା ଏହି ଅଂଚଳରୁ ବ୍ରାଉନ ସୁଗାର ଜବତ ହେବା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । ଏଣୁ ଲୋକେ ନିଶାର ଖେଳ ପଡିଆ ସାଜିଛି ସାହୁ କଲୋନୀ ବୋଲି ଚର୍ଚ୍ଚା କରୁଛନ୍ତି । ବିଗତ ବେଶ କିଛି ମାସ ହେବ ରାଜ୍ୟର ଉପକୂଳବର୍ତୀ ଅଂଚଳରେ ଧଳା ଜହର ବ୍ରାଉନ ସୁଗାରର କାରବାର ବେଶ ଚାଲିଥିବା ବେଳେ ଏସଟିଏଫ ଦ୍ୱାରା ଅନେକ ଥର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବେଶ ମାତ୍ରାରେ ଏହାକୁ ଜବତ ମଧ୍ୟ କରାଯାଇଛି । ତେବେ ଏହି ଧଳା ଜହର କାରବାରର କୌଣସି ନାମ ଗନ୍ଧି ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁର ଜିଲ୍ଲାରେ ନ ଥିବା ବେଳେ କିଛି ମାସ ତଳେ ପ୍ରଥମେ ଏହା ବାବଦରେ ଶୁଣିବାକୁ ମିଳିଥିଲା । ଏ ସମ୍ପର୍କରେ କିଛି ସଚେତନ ନାଗରିକ ଦାୟିତ୍ୱବାନ ଅଧିକାରୀ ମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ ସୁଦ୍ଧା ସେ ସମୟରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାଯାଇ ନ ଥିଲା । ଫଳରେ ନିଶା ବେପାରୀ ମାନେ ଏହି ବେଆଇନ ବେପାର ଧିରେ ଧିରେ ସହରର ଉପକଣ୍ଠସ୍ଥ ଅଂଚଳରେ ଆରମ୍ଭ କରିବା ପରେ ଏବେ ସହର ମଧ୍ୟରେ ସେମାନଙ୍କ ଚେର ଲମ୍ବାଇ ସାରିଛନ୍ତି । ଏଣୁ ଏବେ ଯଦି ପ୍ରଶାସନ କଠୋରରୁ ଅତି କଠୋର ପଦକ୍ଷେପ ନ ଦେବେ ତାହା ହେଲେ ଆଗାମୀ ଦିନରେ ସ୍ଥିତି ଅଣାୟତ ହୋଇ ପଡିବ । ସମ୍ବଲପୁରରେ ଚାଲିଥିବା ନିଶା କାରବାରରେ ନିଶା ବେପାରୀ ମାନେ ଯୁବ ପିଢ଼ି ମାନଙ୍କୁ ସେମାନଙ୍କ ପ୍ରମୁଖ ଟାରଗେଟ କରିଥିବାର ଲକ୍ଷ୍ୟ କରାଯାଉଛି । ନିଶା ବ୍ୟବହାରକାରୀଙ୍କ ଠାରୁ ଆରମ୍ଭ କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟ୍ରାନ୍ସପୋର୍ଟ କରିବା, ଟଙ୍କା ଆଦାୟ କରି ନିଶା ସାମଗ୍ରୀ ପ୍ରଦାନ କରିବା ଆଦି ବିଭିନ୍ନ ପର୍ଯ୍ୟାୟରେ ଯୁବ ପିଢ଼ିଙ୍କୁ ପରଦା ପଛରେ ରହି ନିଶା ଡିଲର ମାନେ ବ୍ୟବହାର କରୁଥିବାର ପରିଲକ୍ଷିତ ହେଉଛି । ପ୍ରଥମ ଥର ପାଇଁ ବ୍ରାଉନ ସୁଗାର ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ମାନେ ସମସ୍ତେ ଯୁବକ ଅଟନ୍ତି । ନିଶାର ଶିକାର ହୋଇ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧିକ ମାମଲରେ ଯୁବ ପିଢ଼ି ସାମିଲ ରହୁଥିବାର ନଜୀର ରହିଛି ।

Leave A Reply

Your email address will not be published.

4 + 14 =