ଢେଙ୍କାନାଳ: ହିନେ୍ଦାଳ ବନଖଣ୍ଡର ବଂପା ଗ୍ରାମପଂଚାୟତ ଅନ୍ତର୍ଗତ ପଟ୍ଟାଳ ଗ୍ରାମ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଥିବାର ଖବର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଓଡାପଡା ବ୍ଲକ୍ କୋତମ ଗ୍ରାମର ମାୟାଧର ସ୍ୱାଇଁ (୬୦) ସବୁଦିନ ପରି ଗତକାଲି ରାତିରେ ନିଜ ଗୁଡବେପାର କାମ ସାରି ବଂପା ମୁଖ୍ୟ ରାସ୍ତାରୁ ପଟ୍ଟାଳ ଜଙ୍ଗଲର ପାଦଚଲା ରାସ୍ତାରେ ଘରକୁ ଫେରୁଥିବାବେଳେ ସେହିବାଟ ଦେଇ ୨୫ଟି ହାତୀ ତାଙ୍କ ଗନ୍ତବ୍ୟ ପଥକୁ ଯାଉଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ମାୟାଧରକୁ ତଡିବାରୁ ସେ ଦୌଡିପାରିନପାରି ତଳେ ପଡିଯାଇବେଳେ ହାତୀ ଆକ୍ରମଣ କରି ଗୋଡକୁ ଦଳିଦେଇଥିଲା । ପ୍ରାୟ ଦୁଇଘଂଟା ପରେ ଚେତା ଫେରିବାରୁ ମାୟାଧର ଫୋନ୍ ଯୋଗେ ବଡପୁଅକୁ ସମସ୍ତ ଘଟଣା ଜଣାଇଥିଲେ । ତାଙ୍କ ବଡପୁଅ ଏ ସଂପର୍କରେ ବନବିଭାଗକୁ ଜଣାଇବା ପରେ ବନବିଭାଗ କର୍ମଚାରୀମାନେ ରାତ୍ରୀ ୧୨ଟା ବେଳକୁ ମାୟାଧରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିବା ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା । ମାୟାଧରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଜନଅସନ୍ତୋଷ ଦେଖାଦେଇଥିଲା ।