୧୨୦ ଘଣ୍ଟାର ଦୁଇଟି ବଡ ଘଟଣା

ବିଗତ ୧୨୦ ଘଂଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଟି ବଡ ଅଘଟଣ ଘଟିଛି । ପ୍ରଥମଟି ହେଲା ଏପ୍ରିଲ ୧୪ ବୁଧବାର ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିଛି । ସେ ଥିଲେ ପିପିଲି ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ । ଆଉ ଦୁଇ ଦିନ ପରେ ଏହି ଆସନରେ ଭୋଟ ଗ୍ରହଣ କରାଯାଇଥାନ୍ତା । କିନ୍ତୁ କାଳର କରାଳ ଗତିରେ ପିପିଲିରେ ଏହା ପୂର୍ବରୁ ପ୍ରତିନିଧିତ୍ୱ କରୁଥିବା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ କରୋନାରେ ଘଟିଥିବା ବେଳେ ଶ୍ରୀ ମଙ୍ଗରାଜ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଏକ ସପ୍ତାହ ବ୍ୟାପି କୋଭିଡ୍ ମହାମରୀ ସହ ସଂଗ୍ରାମ କରି ହାରିଯାଇଥିଲେ ଓ ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରାର୍ଥୀଙ୍କ ଅକାଳ ବିୟୋଗ ପରେ ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରିଟର୍ନିଂ ଅଫିସର ପ୍ରଦିପ କୁମାର ସାହୁ ଉପନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ଏହି ରିପୋର୍ଟ ସେ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ଏବଂ ଭାରତର ନତିର୍ବାଚନ କମିଶନଙ୍କ ପାଖକୁ ପଠାଇଥିବା ପ୍ରକାଶ ।


ଏହା ବ୍ୟତୀତ ୫ଦିନ ପୂର୍ବରୁ ଏପ୍ରିଲ ୧୦ ତାରିଖ ଶନିବାର ଦିନ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରୁ କେବିନ୍‌ରେ ରହି ଚିକିତ୍ସିତ ହେଉଥିବା ଅନ୍ୟତମ ଗ୍ୟାଙ୍ଗ୍‌ଷ୍ଟର ସେଖ୍ ହାଇଦର ଖସି ପଳାଇଥିଲା ବେଳେ ଏବେ ଏହି ଘଟଣା ସମଗ୍ର ପୁଲିସ ବିଭାଗକୁ ଅଡୁଆ ଭିତରକୁ ଟାଣି ଆଣିଛି । ଇତି ମଧ୍ୟରେ ୫ ଦିନ ବିତି ଗଲାଣି କେବଳ ହାଇଦର ସହ ସମ୍ପର୍କିତ ୟାକୁବ୍ ନାମକ ଯୁବକକୁ ପୁଲିସ ଧରି ଥିଲା ବେଳେ ଏହି କ୍ଷେତ୍ରରେ ତଦନ୍ତ ଆଗେଇଲା ଭଳି ମନେ ହେଉନାହିଁ । ଗଣମାଧ୍ୟମରେ ଗତ ୪ଦିନ ଧରି ଏହି ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ଚାଲିଥିବା ବେଳେ ଯାହା ଜଣାପଡୁଛି , ହାଇଦର ଓଡ଼ିଶା ଛାଡିଦେଇଛି । ପ୍ରକାଶିତ ରିପୋର୍ଟ ଗୁଡିକରୁ ଏହା ମଧ୍ୟ ସୂଚିତ ହୋଇଛି ଯେ ହାଇଦର ଫେରାର ହେବା ପୂର୍ବରୁ କେନ୍ଦ୍ରାପଡାରେ ଥିବା ତାର ସମସ୍ତ ଭୂସମ୍ପତି ବିକ୍ରି କରିଦେଇଛି । ନିଜ ଘର ଏବଂ ଦୋକାନ ଘର ଆଦି ବିକିବା ସହ ପ୍ରାୟ ଦେଢକୋଟି ଟଙ୍କା ପାଖାପାଖି ହାତିରେ ଧରି ସେ ଉଭାନ ହୋଇଯାଇଥିବା ବେଳେ ପୁଲିସ ଏପର୍ଯ୍ୟନ୍ତ ଏହି ମାମଲାର କୂଳକିନାରା ପାଉନଥିବା ଭଳି ମନେହୁଏ । କେହି କେହି ସେ ହାଇଦ୍ରାବାଦ୍‌କୁ ଚାଲିଯାଇଥିବା କହୁଥିବା ବେଳେ ଆଉ କେତେକ କହିବା ଅନୁଯାୟୀ ଜମ୍ମୁ ଦୀପ ମଧ୍ୟ ଦେଇ ସମୁଦ୍ର ଭିତରେ ଜଳପଥରେ ସେ ବାଂଲାଦେଶ ପଳାଇଛି । ତେବେ ପ୍ରଶ୍ନ ଉଠୁଛି, ଭିମସାର ମେଡିକାଲ ପାଖରେ ସମ୍ବଲପୁର ଜେଲ୍‌ରେ ରହୁଥିବା ହାଇଦରକୁ ବାରମ୍ବାର ଏସ୍‌ସିବି ମେଡିକାଲ ଅଣାଯାଉଥିଲା କାହିଁକି ? ଶେଷ ଥର ତାକୁ ଯଦି କ୍ୟାବିନ୍ ଦିଆଗଲା ତେବେ ଏ ସମ୍ପର୍କରେ ମଙ୍ଗଳାବାଗ୍ ଥାନାକୁ ସୂଚନା ଦିଆଗଲା ନାହିଁ କିପରି ? ସବୁଠାରୁ ବଡ କଥା ହେଲା ଯେ ଜଣେ ଗ୍ୟାଙ୍ଗଷ୍ଟର ଦେହ ଦେଖାଇବାକୁ ଭିମସାର ପରିବର୍ତ୍ତେ ବାରମ୍ବାର ଏସସିବି ଆସୁଥିବା ନେଇ ରାଜ୍ୟ କ୍ରାଇମବ୍ରାଞ୍ଜ ଓ ଏହାର ସ୍ୱତନ୍ତ୍ର ଏସଟିଏଫ ବିଭାଗ ଖବର ରଖିଲାନି କିପରି ? ଏହି ସବୁ ପ୍ରଶ୍ନର ଉତ୍ତର ପୁଲିସ ମହାନିର୍ଦ୍ଦେଶକ ପ୍ରଥମେ ନିଜେ ଖୋଜି ପାଇବା ଦରକାର ଓ ତା ହୋଇପାରିଲେ ଅତି କମ୍ ରେ ହାଇଦରର ଅବସ୍ଥିତି ଓ ଗତିବିଧି ନେଇ ସୂଚନା ମିଳିଯିବା ଅସମ୍ଭବ ନୁହେଁ । ମୋଟାମୋଟି ଭାବେ ଏହି ଦୁଇଟି ଘଟଣା ଗତ ୫ଦିନ ମଧ୍ୟରେ ଘଟିବା ସହିତ ଉଭୟ ଅପରାଧ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ପୁଲିସର ଆତ୍ମସମୀକ୍ଷା କରିବା ବେଳ ଏବେ ଆସିଯାଇଛି ବୋଲି କୁହାଯାଇପାରେ ।

Leave A Reply

Your email address will not be published.

18 − 9 =