ଆଜିଠାରୁ କଟକ, ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ସମୟରେ ୧୪୪ ଧାରା

ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରରେ ୧୪୪ ଧାରା । କରୋନା ସଂକ୍ରମଣ ଚେନକୁ ଭାଙ୍ଗିବାକୁ  ନାଇଟ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଜାରି କରାଯାଇଛି । ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।  ତେବେ ଏହି ସମୟରେ ବାହାରେ ବୁଲିବାକୁ କଡ଼ା ବାରଣ କରାଯାଇଛି । ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ବ୍ୟକ୍ତି ତଥା ସଂସ୍ଥା ବ୍ୟତୀତ ଅନ୍ୟମାନଙ୍କୁ ବାହାରକୁ ବାହାରିବା ମନା ହୋଇଛି  । ଏହି ସମୟରେ ରାଜଧାନୀ ଓ କଟକରେ ପଇନ୍ତରା ମାରିବ ପୋଲିସ୍ । ନାଇଟ କର୍ଫ୍ୟୁ କଡ଼ାକଡ଼ି ଲାଗୁ କରାଯିବା ସହ ବ୍ୟାପକ ପୋଲିସ ମୁତୟନ ହେବେ । ମେଡିକାଲ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଏହି ସମୟରେ ଅନୁମତି ମିଳିବ । ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟପତ୍ର ଦେଖାଇ ସେମାନେ ଯାଆସ କରିପାରିବେ । ଏହାସହ  ରେଳ ଷ୍ଟେସନ, ଏୟାରପୋର୍ଟ ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ମେଡିକାଲ ଇମରଜେନ୍ସି ଥିଲେ ତତମ୍ବନ୍ଧୀୟ କାଗଜପତ୍ର ଦେଖାଇବାକୁ ପଡ଼ିବ । ଆଜି ରାତିରୁ କଟକ, ଭୁବନେଶ୍ୱରରେ ଲାଗୁ ହେଉଛି ନାଇଟ କର୍ଫ୍ୟୁ । ଏନେଇ ଆଜି ଭୁବନେଶ୍ୱରର ବିଭିନ୍ନ ଛକରେ ସଚେତନତା କରାଯାଇଛି । ପୋଲିସ୍ ପକ୍ଷରୁ ଘୋଷଣା କରାଯାଇ ଲୋକଙ୍କୁ ସତର୍କ କରାଯାଇଛି । କର୍ଫ୍ୟୁ ସମୟରେ ଜନସାଧାରଣଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ଆଶା କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଅଧିକ ପ୍ରଭାବିତ ନୂଆପଡା ଜିଲ୍ଲାର ଖଡିଆଳ ଏନ୍ଏସିରେ ଆଜିଠାରୁ ୨୨ ତାରିଖ ଯାଏଁ ଦୋକାନ, ବଜାର ବନ୍ଦ ରହିବ । ତେବେ ସୁନ୍ଦରଗଡ ହେଉ କି ନବରଙ୍ଗପୁର ସବୁଠି ମାସ୍କ ଚ୍ୟାକିଂ ସହ ନିୟମ ପାଳନକୁ କଡାକଡି କରାଯାଇଛି । ସେହିପରି କଟକ ଓ ଭୁବନେଶ୍ୱର ସମେତ ଅନ୍ୟ ୨୦ ଜିଲ୍ଲାର ସମସ୍ତ ପୌରାଂଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗିବ ।  ଦୋକାନ ବଜାରରେ ଭିଡ ନକରିବାକୁ ଅପିଲ୍ କରିଛନ୍ତି ବିଏମସି କମିଶନର । ଅନ୍ୟପକ୍ଷରେ ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ କଡ଼ାକଡ଼ି ପାଳନ ଲାଗି କମିଶନରେଟ୍ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି ।

Leave A Reply

Your email address will not be published.

sixteen − 9 =