ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନ ପକ୍ଷରୁ କର୍ମଚାରୀମାନଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା ଦାବି

ବାରିପଦା: ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନ ପକ୍ଷରୁ କର୍ମଚାରୀମାନଙ୍କୁ କୋଭିଡ଼ ଯୁଦ୍ଧା ଘୋଷଣା ପାଇଁ ଦାବୀ ହୋଇଛି । ଏଥି ସହିତ ମୁତ୍ୟୁକାଳୀନ ପୁନଃଥଇଥାନ ଓ ପୁନର୍ବାସ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନର କାର୍ଯ୍ୟକାରୀ ସଭାପତି ଜଗଦ୍ଦିଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତାରେ ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଅଧିନରେ ୫ଟି ଜିଲାର ନେତୃତ୍ୱଙ୍କୁ ନେଇ ଏକ ଜରୁରୀ କାଳୀନ ଭର୍ଚୁଆଲ ବୈଠକରେ ୟୁନିୟନର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟତଃ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଉତମ ସେବା ପ୍ରଦାନ କ୍ଷେତ୍ରରେ ପ୍ରତିଦିନ ନିଜ ଜୀବନକୁ ବାଜି ଲଗେଇ କାର୍ଯ୍ୟ କରୁଥିବା ବିଦ୍ୟୁତ୍ ବିଭାଗର କର୍ମଚାରୀମାନଙ୍କ ବିଷୟରେ ଆଲୋଚନା କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ସମ୍ବଳିତ ଏକ ଦାବୀପତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ ପାଇଁ ନିଷ୍ପତି ନିଆଯାଇଛି । ବର୍ତମାନ କରୋନା ମହାମାରୀ ବିରୁଦ୍ଧରେ ସାରା ଦେଶ ସଂଗ୍ରାମ କରୁଥିବା ବେଳେ ବିଦ୍ୟୁତ୍ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗେଇ ଗ୍ରାହକମାନଙ୍କୁ ଉତମ ସେବା ଯୋଗାଇ ଆସୁଛନ୍ତି । କର୍ମଚାରୀ ମାନେ ଖରା, ବର୍ଷା, ଶୀତ ଓ କାକରରେ ଦିବାରାତ୍ର ନିଜର କର୍ତବ୍ୟ ସମ୍ପାଦନ କରି ବିଦ୍ୟୁତ୍ ସେବା ଯୋଗାଇବା ଏବଂ ମରାମତି ପାଇଁ ବାରମ୍ବାର ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡି କେନ୍ଦ୍ର, କୋଭିଡ କେନ୍ଦ୍ର ଏବଂ ପ୍ରତ୍ୟେକ ଘରକୁ ଘର ଯିବାକୁ ପଡ଼ିଥାଏ । କର୍ମଚାରୀମାନେ ଲକଡାଉନ୍ ଓ ସଟଡାଉନ ସମୟରେ ଓଡ଼ିଶାବାସୀ କିପରି ନିଜ ଘରେ ଭଲରେ ଓ ସୁସ୍ଥରେ ରହିବେ ସେ ବିଷୟକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ କୋଣ ଓ ଅନୁକୋଣକୁ ସ୍ଥିର ବିଦ୍ୟୁତ୍ ଯୋଗାଣ ଦାୟିତ୍ୱ ବହନ କରୁଛନ୍ତି । ଅଳ୍ପସଂଖ୍ୟକ କର୍ମଚାରୀରେ ଗ୍ରାହକମାନଙ୍କୁ ସେବା ଯୋଗାଇବା ଏବଂ ରାଜସ୍ୱ ସଂଗ୍ରହ କରୁଥିବା ସମୟରେ ସେମାନେ ନିୟମିତ ଭାବରେ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି ଏବଂ ପ୍ରତିକ୍ଷଣ କରୋନା ମହାମାରୀ ରୂପୀ ରାକ୍ଷସୀର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଗତ କିଛିଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଂଚଳରେ କେତେକ ଶ୍ରମିକ/କର୍ମଚାରୀମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇ ସାରିଲେଣି ଏବଂ ଶତାଧିକ ଶ୍ରମିକ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଲୋକ ପ୍ରାଣ ହରାଉଥିବା ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଅନୁକମ୍ପାମୂଳକ ଚାକିରୀ ସର୍ତାବଳୀ ପୁନର୍ବାସ ଯୋଜନା ଥିବା ବେଳେ ବିଦ୍ୟୁତ୍ ବିଭାଗ ଏଥିରୁ ବାଦ୍ ପଡ଼ିଛି । ପ୍ରତିବର୍ଷ ବିଦ୍ୟୁତ୍ ବିଭାଗର କିଛି ଶ୍ରମିକ ବିଦ୍ୟୁତ୍ ଜନିତ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ସଂଘ ତରଫରୁ ଆମ ବିଦ୍ୟୁତ୍ ଶ୍ରମିକ/କର୍ମଚାରୀ ମାନଙ୍କୁ “କୋଭିଡ ଯୋଦ୍ଧା” ଭାବେ ଘୋଷଣା କରିବା ସହିତ ଅନୁକମ୍ପା ରାଶି ୫୦ ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ଓ ଅନୁକମ୍ପା ମୂଳକ ଚାକିରୀ ସର୍ତାବଳୀ ପୁନର୍ବାସ ଯୋଜନା କାର୍ଯ୍ୟକାରୀ କରାଯିବା ନିମନ୍ତେ ଆମର ପ୍ରିୟ ତଥା ମହାନ ଦୂରଦୃଷ୍ଟି ସମ୍ପନ୍ନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ । ଏହି ବୈଠକରେ ଡେପୁଟି ଜେନେରାଲ ସେକ୍ରେଟେରୀ ଜ୍ୟୋତିକୃଷ୍ଣ ବେହେରା, ଉପସଭାପତି ଆର୍ତବନ୍ଧୁ ବିଶ୍ୱାଳ, ସହସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ, ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ଯୋଗେଶ ଚନ୍ଦ୍ର ଅଗସ୍ତି, ଡିଭିଜନ ସମ୍ପାଦକ ରୂପେ ଚନ୍ଦନ କୁମାର ମହାନ୍ତି, ସତ୍ୟନାରାୟଣ ବେହେରା, ସପନ କୁମାର ଦାସ, ଦିପ୍ତିକାନ୍ତ ଭୂୟାଁ, ଘନଶ୍ୟାମ ରାଉତ୍‌, ଭ୍ରମରବର ପରିଡ଼ା, ତ୍ରିଲୋଚନ ମହାରଣା, ସଂଜୟ କୁମାର ବାରିକ, ଅଞ୍ଜନ କୁମାର ମହାପାତ୍ର, ନିଗମାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.

2 × 4 =