ନିଆଳୀ- : ନିଆଳୀ ଥାନା ଅନ୍ତର୍ଗତ ଏକବେରୁଆଁ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୩ଟି ଛେଳି ଚୋରୀ ହୋଇଛି । ଦୀର୍ଘ ଦିନଧରି ନିଆଳୀ ଥାନା ଅଞ୍ଚଳରେ ଛେଳି ଓ ମେଣ୍ଢା ଚୋରୀ ହେଉଥିବାବେଳେ ଲକଡାଉନ ସମୟରେ ଗୋଟିଏ ରାତିରେ ଗତକାଲି ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୩ଟି ଛେଳି ଚୋରୀ ହୋଇଛି । ଡିହନାଟି ସୁଦର୍ଶନ ପ୍ରଧାନଙ୍କର ୧୧ଟି, ପଳସା ଗ୍ରାମର ଶିଖର ସେଠୀଙ୍କର ୩ଟି, ସୁଧାନଗର ଶଙ୍କର ସେଠୀଙ୍କର ୫ଟି, ମଝି ନାଟି ସୁରେନ୍ଦ୍ର ମଲ୍ଲିକଙ୍କର ୪ଟି ଛେଳି ଚୋରୀ ହୋଇଯାଇଛି । ଲୁଟେରାମାନେ କୌଣସି ଏକ ରାସାୟନିକ ପଦାର୍ଥ ସ୍ପ୍ରେକରି ଛେଳି ଚୋରୀକରି ନେଉଥିବା ସନ୍ଦେହ କରାଯାଉଛି । ଛେଳି ଚୋରୀ ସମୟରେ ଛେଳିମାନେ ବୋବାଉନଥିବାବେଳେ ଛାଡିଯାଉଥିବାଛେଳି ଛୁଆ ଗୁଡିକ ମଧ୍ୟ ଦୀର୍ଘ ସମୟଧରି କିଛି ନଖାଇବା ସହ ବୋବାଇ ପାରୁ ନାହାଁନ୍ତି । ସେହିପରି ୮ ଦିନ ପୂର୍ବରୁ ନାଟିର ନାରାୟଣ ସ୍ୱାଇଁଙ୍କର ୬ଟି ଓ ଅରୁଣ ସ୍ୱାଇଁଙ୍କର ୨ଟି ଛେଳି ଚୋରୀ ଯାଇଥିବା ନେଇ କସରଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ମାତ୍ର ଆଜିପର୍ଯ୍ୟନ୍ତ ମାସ ମାସଧରି ଏପରି ଛେଳି ଚୋରୀ ଲାଗି ରହିଥିଲେବି ପୋଲିସ୍ ଜଣେ ହେଲେବି ଛେଳି ଚୋରକୁ ଧରିବାରେ ସଫଳ ହୋଇନାହିଁ । ଗତକାଲି ରାତିରେ ୨୩ ଛେଳି ଚୋରୀ ହେବା ଫଳରେ ସମସ୍ତ ଛେଳି ପାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସାଧାରଣତଃ ଏହା ଏକ ନଦୀ ଘେର ଅଞ୍ଚଳ ହୋଇଥିବାବେଳେ ଏଠାର ଅଧିକାଂସ ଲୋକ ବିଭିନ୍ନ କୃଷି ଉପରେ ନିର୍ଭର କରି ଚଳନ୍ତି । ବିଶେଷତଃ ଅତ୍ୟନ୍ତ ଦରିଦ୍ର ଶେଣୀର ଲୋକମାନେ ଏହି ଛେଳି ମେଣ୍ଢା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଛେଳି ଚୋରଙ୍କୁ ଧରିବା ସହ ଛେଳି ଚୋରୀ ରୋକିବା ନିମନ୍ତେ ପୋଲିସ୍ ପକ୍ଷରୁ ଦୃଢ ପଦକ୍ଷପ ନେବାପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।