ନୂଆଦିଲ୍ଲୀ: ରାଜ୍ୟରେ ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ଓଡିଶାକୁ ୩୩୩କୋଟି ୮୦ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଅର୍ଥ ଗ୍ରାମପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲାସ୍ତରରେ ବିନିଯୋଗ ହେବ । କରୋନା ମୁକାବିଲା ପାଇଁ ଓଡିଶା ସହ ୨୫ଟି ରାଜ୍ୟର ପଞ୍ଚାୟତକୁ କେନ୍ଦ୍ର ସରକାର ୮୯୨୩.୮ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶକ କ୍ରମେ ଅର୍ଥ ମନ୍ତ୍ରଣାଳୟର ୨୫ଟି ରାଜ୍ୟକୁ ୮.୯୨୩ କୋଟି ୮୦ଲକ୍ଷ ଟଙ୍କା ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥା (ଆରଏଲବି) କୁ ଅନୁଦାନ ପ୍ରଦାନ କରିଛି । ଏହି ଅନୁଦାନ ପଞ୍ଚାୟତିରାଜର ତିନୋଟି ସ୍ତର-ଗ୍ରାମ, ବ୍ଲକ ଏବଂ ଜିଲ୍ଲା ପାଇଁ ଖର୍ଚ୍ଚ ହେବ । ଅର୍ଥ ମନ୍ତ୍ରଣାଳୟ ରବିବାର ଟ୍ୱିଟ୍ କରି ଏହି ସୂଚନା ଦେଇଛି । ମନ୍ତ୍ରଣାଳୟ ଏକ ପ୍ରେସ ବିବୃତିରେ କହିଛି ଏହି ଅର୍ଥ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଦ୍ୱାରା କୋଭିଡ୍-୧୯ ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥାରେ ବ୍ୟବହାର କରାଯାଇପାରିବ ।
କରୋନା ଲଢେଇ ପାଇଁ ଉତରପ୍ରଦେଶ ସର୍ବାଧିକ ୧୪୪୧.୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପାଇଥିବା ବେଳେ ପଶ୍ଚିମବଙ୍ଗ ୬୫୨.୨ କୋଟି, ବିହାର ୭୪୧.୮ କୋଟି, ଗୁଜୁରାଟ ୪୭୨.୪ କୋଟି, ହରିୟାଣା ୧୮୭ କୋଟି, ଝାଡଖଣ୍ଡ ୨୪୯.୮ କୋଟି, କର୍ଣ୍ଣାଟକ ୪୭୫.୪ କୋଟି, ମଧ୍ୟପ୍ରଦେଶ ୫୮୮.୮ କୋଟି, ମହାରାଷ୍ଟ୍ର ୮୬୧.୪ କୋଟି, ରାଜସ୍ଥାନ ୫୭୦.୮ କୋଟି ଏବଂ ତାମିଲନାଡୁ ୫୩୩.୨ କୋଟି, ତେଲେଙ୍ଗାନା ୨୭୩.୮କୋଟି, ଆସାମ ୨୩୭.୨ କୋଟି, ଆନ୍ଧ୍ର ୩୮୭.୯କୋଟି, ଏବଂ ଛତିଶଗଡକୁ ୨୧୫ କୋଟି ଟଙ୍କା ଅନୁଦାନ ଦିଆଯାଇଛି ।
ତେବେ ଏହି ଅନୁଦାନ ଘୋଷଣା ପରେ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ସରକାର ଯେଉଁ ୩୩୩ କୋଟି ଓଡିଶାକୁ ଦେଇଛନ୍ତି, ହିସାବ କଲେ ପ୍ରତି ଜିଲ୍ଲା ପାଇଁ ୧୦ କୋଟି ଭାଗ ପଡିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଓ ଅନ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ସହାୟତ ପ୍ରଦାନ କରି ସାରିଛନ୍ତି । ଗତ ବର୍ଷ ମହାମାରୀ ମୁକାବିଲା ପାଇଁ ପ୍ରତି ପଞ୍ଚାୟତକୁ ୫ ଲକ୍ଷ ବି ଦେଇଥିଲେ । କେନ୍ଦ୍ର ଯେଉଁ ଅର୍ଥ ଦେଲା, ଆଉ ଆଗରୁ ଦେବାର ଥିଲା । ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବି ଜଲଦି ଦିଅନ୍ତୁ । ଆଉ ମୁଖ୍ୟମନ୍ତ୍ରୀ ଯେଉଁ ଟୀକା ଉପରୁ ଜିଏସିଟି ଛାଡ ପାଇଁ ନିବେଦନ କରିଛନ୍ତି, ତାହା କରନ୍ତୁ କେନ୍ଦ୍ର ସରକାର । ଏପରିକି ସମ୍ପୂର୍ଣ୍ଣ ଟିକା ଖର୍ଚ୍ଚ କେନ୍ଦ୍ର ବହନ କରନ୍ତୁ । ଏପରି ହେଲେ, ବଳକା ଅର୍ଥ ସ୍ୱାସ୍ଥ୍ୟ ଭିତିଭୂମି ବିକାଶରେ ଲାଗି ପାରିବ ।