ନୂଆଦିଲ୍ଳୀ: ମହାମାରୀ କରୋନା ପାଇଁ କଂଗ୍ରେସ ସଭାପତି ନିର୍ବାଚନକୁ ପୁଣି ସ୍ଥଗିତ ରଖାଯାଇଛି । ତେବେ ସଭାପତି ନିର୍ବାଚନ ସମ୍ପର୍କରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ନିଷ୍ପତି ଗ୍ରହଣ କରିବ ବୋଲି କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲୁସି) ନିଷ୍ପତି ଗ୍ରହଣ କରିଛି ।
ଆଜି ଦଳର ଅନ୍ତରିଣ ଅଧ୍ୟକ୍ଷା ସୋନିଆଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ସର୍ବୋଚ୍ଚ ନୀତି ନିଦ୍ଧାରକ କମିଟି କଂଗ୍ରେସ ୱାକିଂ କମିଟି ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନରେ ଦଳର ନୈରାଶ୍ୟ ଫଳାଫଳ ପରେ ଏହା ହେଉଛି ପ୍ରଥମ ସିଡବ୍ଲୁସି ବୈଠକ । ବୈଠକରେ ଦଳର ପରାଜୟ ନେଇ ତର୍ଜମା କରାଯାଇଥିବା ପ୍ରକାଶ । ବୈଠକକୁ ସମ୍ବୋଧିତ କରି ସୋନିଆ ଗାନ୍ଧୀ କହିଥିଲେ, ଦଳର ପ୍ରଦର୍ଶନରୁ ସ୍ପଷ୍ଟ ଯେ ଆମକୁ ଆଗକୁ ବଢିବାକୁ ହେବ । ଏଥିପାଇଁ ସୁଧାରର ଆବଶ୍ୟକ ରହିଛି । ନିର୍ବାଚନରେ ଯେଉଁ ଫଳାଫଳ ଆସିଛି ତାର ସମସ୍ତ ଦିଗ ଉପରେ ଆଲୋଚନା ହେବା ଦରକାର । ଏଥିପାଇଁ ସେ ଏକ କମିଟି ଗଠନ କରି କରାଜୟର କାରଣ ବାବଦରେ ବିସ୍ତୁତ ରିପୋର୍ଟ ଦେବାକୁ କହିଛନ୍ତି । ଆସାମ ଏବଂ କେରଳରେ କରାଜୟ ଏବଂ ପଶ୍ଚିମବଙ୍ଗରେ ମୂଳପୋଛ ହେବା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୯ରେ ସାଧାରଣ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ରାହୁଲ ଗାନ୍ଧୀ ଦଳର ସଭାପତ୍ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷାହ ରହିଛନ୍ତି । ହେଲେ ପୂର୍ଣ୍ଣ ସଭାପତି ଭାବରେ ଥିବା ଏହି ପଦ ଖାଲି ପଡିଛି । ଏହାରି ଭିତରେ ଦଳର ବରିଷ୍ଠ ନେତା କପିଲ୍ ଶିବଲ, ଗୁଲାମ ନବୀ ଆଜାଦ, ମନୀଷ ତିୱାରୀ ପ୍ରମୁଖ ୨୩ ନେତା ଦଳର ନୀତିକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ଆଉ କହିଥିଲେ ଦଳରେ ଉପରୁ ତଳ ପରିବର୍ତନ ହେବା ଆବଶ୍ୟକ । ହେଲେ ଏହାକୁ ସହଜରେ ଗ୍ରହଣ କରିନଥିଲେ ସୋନିଆ ଗାନ୍ଧୀ । ଆଉ ୨୩ ନେତାଙ୍କୁ କଥାକୁ ଅଣଦେଖା କରିଥିଲେ ।
ସୋନିଆଗାନ୍ଧୀ ଅସୁସ୍ଥ ଅଛନ୍ତି । ତାଙ୍କର ନେତୃତ୍ୱ ବେଳେ ରାହୁଲ ଗାନ୍ଧୀ ହିଁ ପ୍ରମୁଖ ନେତା ଭାବରେ ମତ ରଖୁଛନ୍ତି । କିଛି ଦିନ ହେବ ରାହୁଲ ଗାନ୍ଧୀ ମଧ୍ୟ ସରକାର ବିରୋଧରେ ପ୍ରତିଦିନ ଟ୍ୱିଟ୍ କରିବା ପାଖରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରକୁ ଘେରୁଛନ୍ତି । ଏଯାବତ୍ ଦଳର ଅନ୍ୟତମ ପ୍ରମୁଖ ନେତା ମଧ୍ୟ ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ରଖିଛନ୍ତି । ଆଉ ରାହୁଲ ମଧ୍ୟ ବିଭିନ୍ନ ନିର୍ବାଚନୀ ପ୍ରଚାର ବେଳେ ଦଳ ପକ୍ଷରୁ ପ୍ରମୁଖ ନେତା ଭାବରେ ରାଲି କରୁଥିଲେ । ତେଣୁ ଦଳ ଆଭ୍ୟନ୍ତରୀଣ ମତଦାନ ଜରିଆରେ ପୁଣିଥରେ ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି ଭାବରେ ନିର୍ବାଚିତ କରିପାରେ ।