ମାଡିଆସୁଛି ‘ବ୍ଲାକ୍ ଫଙ୍ଗସ’ : ଓଡିଶାରେ ହୋଇନି ଠାବ

ଭୁବନେଶ୍ୱର: ମହାମାରୀ କରୋନା ପରେ ଏବେ ଦେଶର କେତେକ ରାଜ୍ୟରେ ଆତଙ୍କର କାରଣ ହୋଇଥିବା ‘ବ୍ଲାକ୍ ଫଙ୍ଗସ୍‌’ ଭୂତାଣୁ ଓଡିଶାରେ ଚିହ୍ନଟ ହୋଇନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଆଇସିୟୁରେ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ଠାରୁ ଏହି ବ୍ଲାକ ଫଙ୍ଗସ୍ ରୋଗ ଦେଖାଦେଇଥିବା କୁହାଯାଇଛି । ତେବେ ମାଟିରେ କାମ କରୁଥିବା ବ୍ୟକ୍ତି ଅଧିକ ମାତ୍ରାରେ ଏହି ରୋଗରେ ପୀଡିତ । ସାଧାରଣତ ମଧୂମେହରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏହି ରୋଗ ହୋଇଥାଏ । ଏହି ରୋଗ ଆଖି ନଷ୍ଟ କରିଦେବା ସହ ଶରୀର ଅନ୍ୟ ପ୍ରତ୍ୟଙ୍ଗକୁ ଅଚଳ କରିଦେଇଥାଏ । ତେବେ ଏହାର ଲକ୍ଷଣ ସ୍ୱରୂପ ଆଖି, ନାକରୁ କଳା ପାଣି ବାହାରି ଥାଏ । ଅନ୍ୟପକ୍ଷରେ ଓଡିଶାରେ ଜଣେ ରୋଗୀଙ୍କ ଠାରେ ବ୍ଲାକ୍ ଫଙ୍ଗସର ଲକ୍ଷଣ ପ୍ରକାଶ ପାଇଥିବା ସୂଚନା ମିଳିଛି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସମ୍ପର୍କରେ କିଛି କୁହାଯାଇ ନାହିଁ । କରୋନାରେ ଆକ୍ରାନ୍ତ ବହୁମୂତ୍ରୀ ରୋଗୀଜଣଙ୍କ ଦୀର୍ଘ ୨୨ଦିନ ଧରି ଆଇସିୟୁରେ ଚିକିତ୍ସିତ ହେବା ପରେ କରୋନାରେ ଆରୋଗ୍ୟ ଲାଭ କରିଛନ୍ତି । ତେବେ ତାଙ୍କ ନାକରୁ କଳାପାଣି ବାହାରିବା ଆଖି ଓ ମୁଁହରେ ଯନ୍ତ୍ରଣା ହେବା ସହ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ସହ ସମାନ ରହିଛି । ତେବେ ବିଶେଷଜ୍ଞମାନେ ରୋଗୀଙ୍କ ଉପରେ କଡା ନଜର ରଖିଛନ୍ତି । ଏବେ ଦେଶରେ ବ୍ଲାକ୍ ଫଙ୍ଗସ୍ ମାଡି ଚାଲିଥିବାରୁ ଏଥିପ୍ରତି ସତର୍କ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ପ୍ରକାଶ ଥାଉକି, ଦିଲ୍ଲୀ, ଗୁଜରାଟ ଓ ମହାରାଷ୍ଟ୍ରରେ କୋଭିଡ୍‌ରୁ ଆରୋଗ୍ୟଲାଭ କରୁଥିବା ପୀଡିତାମାନଙ୍କ ଭିତରୁୁ ଅନେକ କ୍ଷେତ୍ରରେ ‘ବ୍ଲାକ୍ ଫଙ୍ଗସ୍‌’ ବା ‘ମ୍ୟୁକୋର୍ମାଇକୋସିସ୍‌’ ନାମକ ଏକ ପ୍ରକାର ବିରଳ ଫିମ୍ପିଗତ ସଂକ୍ରମଣ ଦେଖାଦେବା ଚିକିତ୍ସାବିତ୍‌ମାନଙ୍କ ନିଦ ହଜାଇ ଦେଇଛି । ଏହି ନୂତନ ଧରଣର ସଂକ୍ରମଣ ପୀଡିତାମାନଙ୍କର ଦୃଷ୍ଟିଶକ୍ତି ନଷ୍ଟ କରିଦେବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରୁଥିବା ଜଣାଯାଇଛି । ଗୁଜରାଟର ବିଭିନ୍ନ ପ୍ରାନ୍ତରରୁ ଏଭଳି ସଂଖ୍ୟାଧିକ ‘ବ୍ଲାକ୍ ଫଙ୍ଗସ୍‌’ ଆକ୍ରାନ୍ତ ସୁରଟ ସ୍ଥିତ କିରଣ ସୁପର ସ୍ପେସାଲିଟି ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ସେମାନଙ୍କ ଭିତରୁ ୫୦ଜଣ ଚିକିତ୍ସାଲାଭ କରିସାରିଥିବା ବେଳେ ଆଉ ୬୦ଜଣ ଅପେକ୍ଷାରେ ଅଛନ୍ତି ବୋଲି ଏହାର ଅଧ୍ୟକ୍ଷ ମାଥୁର ସାବାନି କହିଛନ୍ତି ।
ସୁରଟ ଓ ଅହମଦାବାଦରେ କୋଭିଡ୍‌ରୁ ଆରୋଗ୍ୟଲାଭ କରିଥିବା ପୀଡିତଙ୍କ ଭିତରୁ ଅତି କମ୍‌ରେ ୮ଜଣ ଦୃଷ୍ଟି ଶକ୍ତି ହରାଇଥିବା ଜଣାଯାଇଛି । ଚଳିତ ଦ୍ୱିତୀୟ ଲହର ସଂକ୍ରମଣ ଅବସରରେ ସୁରଟ ସ୍ଥିତ ଅସର୍ବା ନାଗରିକ ଡାକ୍ତରଖାନାକୁ ପ୍ରତ୍ୟହ ଅତି କମ୍‌ରେ ୫ରୁ ୧୦ଜଣ ଏଭଳି ରୋଗୀ ଆସୁଥିବା ସୂଚନା ମିଳିଛି । ତେବେ ସେମାନଙ୍କ ଭିତରୁ ୫ଜଣରୁ ଜଣଙ୍କର ଏପରି ଦୃଷ୍ଟିଗତ ସମସ୍ୟା ଥିବା ଇଏନ୍‌ଟି ବିଶେଷଜ୍ଞ ଡା. ଦେବଙ୍ଗ ଗୁପ୍ତା କହିଛନ୍ତି ।
ଅପରପକ୍ଷେ, ମହାରାଷ୍ଟ୍ରରେ ମଧ୍ୟ ଅତି କମରେ ୮ଜଣ ଅନୁରୂପ ରୋଗୀ ଦୃଷ୍ଟି ଶକ୍ତି ହରାଇ ସାରିଥିବା ବେଳେ ଅନ୍ୟ ୨୦୦ ଜଣ ଚିକିତ୍ସାଧୀନ ରହିଥିବା ରାଜ୍ୟ ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶାଳୟର ମୁଖ୍ୟ ଡା. ତଥ୍ୟାରାଓ ଲହାନେ କହିଛନ୍ତି । ସେମାନେ ସମସ୍ତେ କୋଭିଡରୁ ମୁକ୍ତି ପାଇଥିଲେ ହେଁ ସେମାନଙ୍କ ଦୁର୍ବଳ ରୋଗପ୍ରତିରୋଧକତା ହିଁ ଏହି ସଂକ୍ରମଣର ଶିକାର ହୋଇଥିବା ସେ କହିଛନ୍ତି । ଯଦିଓ ଏହି ‘ମ୍ୟୁକୋର୍ମାଇକୋସିସ୍‌’ ନୂଆ ରୋଗ ନୁହେଁ, ତେବେ ସମ୍ପ୍ରତି କୋଭିଡ୍ ରୋଗୀଙ୍କ ଠାରେ ବେଶୀ ଦେଖାଯାଉଛି ।
କାରଣ ସେମାନଙ୍କର ଉପଶମ ଲାଗି ଶକ୍ତିବର୍ଦ୍ଧକ ପ୍ରୟୋଗ କରାଯିବା ପରେ ସେମାନଙ୍କ ରକ୍ତଶର୍କରାହ ବଢିଯାଉଛି । କିଛି ରୋଗୀଙ୍କ ଠାରୁ ମଧ୍ୟ ଅନ୍ୟାନ୍ୟ ଔଷଧ ସେମାନଙ୍କ ରୋଗପ୍ରତିରୋଧକତାକୁ ଚାପିଦେଉଛି । ଫଳରେ ଏହି ଫଙ୍ଗସ୍ ସହଜରେ ଆକ୍ରମଣ କରିପାରୁଛି ।

Leave A Reply

Your email address will not be published.

twenty + 7 =