କରୋନାକୁ ଆମନ୍ତ୍ରଣ କରୁଛି ହାଡ଼ଭଙ୍ଗା ଚିକିତ୍ସାଳୟ

ବାଲୁଗାଁ : ସାରା ରାଜ୍ୟରେ କରୋନାରେ ଜନସାଧାରଣ ତ୍ରାହି ତ୍ରାହି ଡାକ ଦେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍‌ଏସିରେ ହାଡ଼ଭଙ୍ଗା ଚିକିତ୍ସାଳୟ କରୋନାକୁ ନିମନ୍ତ୍ରିତ କରୁଥିବା ଦେଖାଦେଇଛି । ସୂଚନା ମୁତାବକ ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ତରଫରୁ ଅହରହ ଉଦ୍ୟମ ଜାରି ରହିଥିବା ବେଳେ ମାସ୍କ, ସାନିଟାଇଜର୍ ବ୍ୟବହାର ସହିତ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି । ତଥାପି କିଛି ଅମାନିଆଙ୍କ କାର୍ଯ୍ୟକଳାପକୁ ନଜରରେ ରଖି ସରକାର ଚଳିତ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ସ୍ୱଳ୍ପ କର୍ମଚାରୀ ନେଇ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଚାଲୁ ରହିଛି । ଗୋଷ୍ଠୀ ସଂକ୍ରମଣକୁ ଲକ୍ଷ୍ୟ ରଖି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅବା ପ୍ରାଇଭେଟ୍ କ୍ଲିନିକ୍ ଗୁଡ଼ିକରେ ବାରମ୍ବାର ସାନିଟାଇଜ୍ କରିବା ସହ ସରକାରଙ୍କ କୋଭିଡ୍ ନିୟମ ମାନି ରୋଗୀ ଚିକିତ୍ସା କରାଯାଉଛି । ମାତ୍ର ବାଲୁଗାଁ ହାଡ଼ଭଙ୍ଗା ଚିକିତ୍ସାଳୟରେ ଏହାର ବିପରୀତ ପରିଲକ୍ଷିତ ହୋଇଛି । ନାଁ ଅଛି ସାମାଜିକ ଦୂରତା ନାଁ ମାସ୍କ ପ୍ରତି ଧ୍ୟାନ । ସମ୍ପୃକ୍ତ ଚିକିତ୍ସାଳୟରେ ଦୈନିକ ଶହ ଶହ ଲୋକ ଚିକିତ୍ସା ପାଇଁ ଆସୁଥିବା ବେଳେ ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ନଦେଇ ଭୋକବିକଳରେ ତାଟିଆ କାମୁଡ଼ିବା ଭଳି ଚିକିତ୍ସା ଚାଲିଛି । କେଉଁଠି କିଏ ମାସ୍କ ପିନ୍ଧିଛି ତ କିଏ ପୁଣି ପିନ୍ଧିନି । ଯଦିଓ କିଏ ପିନ୍ଧିଛି ସେ ପୁଣି ନାକ ତଳେ ପିନ୍ଧିଛି । ତତ୍‌ସହିତ ସମ୍ପୃକ୍ତ ଚିକିତ୍ସାଳୟରେ ଚିକିତ୍ସା କରୁଥିବା ବ୍ୟକ୍ତିବିଶେଷ ସାନିଟାଇଜ୍ ନ ହେବା ଅତ୍ୟନ୍ତ ଗୁରୁତର । ଯାହାକି କିଏ କେଉଁଠାରୁ ଆସି ସାମାଜିକ ଦୂରତା ବଜାୟ ନରଖି ଏକାଠି ରୁଣ୍ଡ ହେବା ଦ୍ୱାରା ସଂକ୍ରମଣର ଆଶଙ୍କା ଢେର ରହିଛି । ଏ ସମ୍ବନ୍ଧରେ ସମ୍ପୃକ୍ତ ଚିକିତ୍ସାକଙ୍କୁ ପଚାରିବାରେ ପାଲଟା ଯୁକ୍ତି କରିଥିଲେ ଆମେ ସେବା କରୁଛୁ । ଏଠି ପ୍ରଶ୍ନ ଉଠୁଛି ସେବା କରିବା ଲୋକ ଏଭଳି ଲକ୍‌ଡାଉନ୍ ସମୟରେ ସେବା ବଦଳରେ ମୋଟା ଅଙ୍କ ଦାବି କରୁଥିବା ସାଧାରଣ ଲୋକ କହୁଛନ୍ତି । ସୁତରାଂ ଏନ୍‌ଏସି ଅଞ୍ଚଳରେ ଖୁଲମ୍‌ଖୁଲା ହାଡ଼ଭଙ୍ଗା ଚିକିତ୍ସାଳୟ ଖୋଲି ସାଧାରଣଜନତାଙ୍କୁ ଆର୍ଥିକ ଶୋଷଣ କରିବା ସହ କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ମହାମାରୀ କରୋନାକୁ ଆମନ୍ତ୍ରିତ କରୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ସବୁଜାଣି ଚୁପ୍ ବସିଛି କାହିଁକି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ କିଛିଦିନ ତଳେ ଚିଲିକା ବ୍ଲକ୍ ଅନ୍ତର୍ଗତ କାଳୁପଡ଼ା ସେକ କେନ୍ଦ୍ରରେ ଏଭଳି ଅନିୟମିତତାକୁ ଦେଖି ପ୍ରଶାସନ ତରଫରୁ ଉକ୍ତ କେନ୍ଦ୍ରକୁ ସିଲ୍ କରାଯାଇଥିଲା । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏହି ହାଡ଼ଭଙ୍ଗା ଚିକିତ୍ସାଳୟ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.

thirteen − 10 =