ଭୁବନେଶ୍ୱର: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବାର ସ୍ୱାଭାବିକ ସମୟ ଜୁନ୍ ୧ ତାରିଖ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଦିନେ ପୂର୍ବରୁ ଅର୍ଥାତ୍ ମେ’ ୩୧ ତାରିଖରେ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପୁଣି ପୂର୍ବାନୁମାନ କରିଛି । ସେହିପରି ଜୁନ୍ ୧୦ ତାରିଖ ଦିନ ଓଡିଶାରେ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି କୁହାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଚଳିତ ବର୍ଷ ମୌସୁମୀ ମେ’ ୩୧ ତାରିଖରେ କେରଳ ଛୁଇଁବ । ବିଭିନ୍ନ ମଡେଲ୍ର ଆକଳନ ଅନୁଯାୟୀ ୪ଦିନ ଏପଟ ସେପରେ ଅର୍ଥାତ୍ ମେ’ ୨୭ରୁ ଜୁନ୍ ୪ ଭିତରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ସୃଷ୍ଟି ହେଉଛି । ଏଣୁ କେନ୍ଦ୍ର ପକ୍ଷରୁ ଏକ ହାରାହାରି ହିସାବରେ ମେ’ ୩୧ରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି । ଭାରତରେ ମୌସୁମୀର ଗତିକୁ ଲକ୍ଷ୍ୟ କଲେ ଜଣାପଡେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଥମ ବର୍ଷ ଦକ୍ଷିଣ ଆଣ୍ଡାମାନ ସାଗରରେ ହୋଇଥାଏ । ଏହା ପରେ ମୌସୁମୀ ବାୟୁ ଉତର-ପଶ୍ଚିମ ଆଡକୁ ଗତି କରି ବଙ୍ଗୋପସାଗର ମୁହାଁ ହୁଏ । ଏହି ଅନୁଯାୟୀ ମେ’ ୨୨ତାରିଖ ଆଡକୁ ଆଣ୍ଡାମାନ ସାଗରର ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ଗତ ୧୬ ବର୍ଷ ଧରି ଭାରତୀୟ ପାଣିପାଗ ବିଭାଗ ମୌସୁମୀର ଆଗମନକୁ ନେଇ କରିଥିବା ଆକଳନ ସଠିକ୍ ପ୍ରମାଣିତ ହୋଇଛି । ଚଳିତ ବର୍ଷ ମଧ୍ୟ ଆଇଏମ୍ଡିର ଆକଳନ ଅନୁଯାୟୀ ସଠିକ୍ ସମୟରେ ମୌସୁମୀ କେବଳ ଛୁଇଁବ ବୋଲି ଆଇଏମ୍ଡି ଦାବି କରିଛି ।