ଲକ୍‌ଡାଉନ୍‌ରେ ଅଘୋଷିତ ବିଦ୍ୟୁତ୍ କାଟ୍‌

ବାଲୁଗାଁ: କରୋନାର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ବର୍ତ୍ତମାନ ସାରା ରାଜ୍ୟରେ ଲକ୍‌ଡାଉନ୍ ଜାରି ରହିଛି । ଲକ୍‌ଡାଉନ୍ ସମୟରେ ଦିନତମାମ ଲୋକେ ଘରେ ରହୁଥିବାବେଳେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ଚବିଶ ଘଣ୍ଟା ବିଦ୍ୟୁତ୍ ସରବରାହ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି । ମାତ୍ର ଚିଲିକାରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପ୍ରତିଦିନ ବାଲୁଗାଁ ବାଣପୁର ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ ହେଉଛି । ବିଦ୍ୟୁତ୍ କାଟ ପାଇଁ ମଧ୍ୟ କୌଣସି ର୍ନିଦ୍ଦିଷ୍ଟ ସମୟ ନାହିଁ । କେତେବେଳେ ରାତ୍ରିରେ ତ କେତେବେଳେ ଦିନ ଦ୍ୱିପ୍ରହରର ଅସହ୍ୟ ଗରମ ସମୟରେ ମଧ୍ୟ ବିଦ୍ୟୁତ୍ କାଟ୍ ହେଉଛି । ତେବେ ଏଠି ଟିପିସିଓଡ଼ିଏଲର ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଛି । ପ୍ରତିମାସରେ ବିଦ୍ୟୁତ୍ ବିଭାଗ ରକ୍ଷଣାବେକ୍ଷଣ ନାମରେ ଅନ୍ତତଃ ଗୋଟାଏ ଦିନ ପାୱାର କଟ୍ କରୁଛି । କିନ୍ତୁ ସେତିକିରେ ବି ସେମାନଙ୍କୁ ସମୟ ଅଭାବ ହେଉଛି । ଅଞ୍ଚଳରେ ସାମାନ୍ୟ ପବନ ଟିକେ ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହୁଛି । ଆଉ ଯେଉଁଦିନ ବର୍ଷା ହେଲା ସେଦିନ କଥା ନକହିବା ଭଲ । ଏପରିକି କଙ୍କଡାକୁ ଗୋଳି ପାଣି ସୁହାଇଲା ପରି ବର୍ଷା ପବନ ବିଦ୍ୟୁତ୍ ବିଭାଗକୁ ସୁହାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ନିୟମ ଅନୁଯାୟୀ ଯଦି ବିଦ୍ୟୁତ୍ କାଟ କରାଯିବ ତେବେ ଲୋକଙ୍କୁ ପୂର୍ବରୁ ସୂଚନା ଦିଆଯିବ । ହେଲେ ତାହା ସେଠାରେ ଦେଖିବାକୁ ମିଳୁନି । କରୋନା ମହାମାରୀ ସମୟରେ ମଣିଷ ପ୍ରତି ମୁହୂର୍ତ୍ତରେ ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିବାବେଳେ ଅଘୋଷିତ ବିଦ୍ୟୁତ୍ କାଟ ନିଆଁରେ ଘିଅ ଢାଳିଲା ପରି କାର୍ଯ୍ୟ କରୁଛି ।

Leave A Reply

Your email address will not be published.

three × 3 =