ଦେଶରେ ତଥା ଆମ ରାଜ୍ୟ ଓଡ଼ିଶାରେ କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ମାଡିଚାଲିଛି । ସାରା ଦେଶ ଏଥିରେ ଏବେ ଉଠ୍ବସ୍ ହେଉଥିଲା ବେଳେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ସହିତ ସାମାଜିକ ସ୍ଥରରେ ଅଚାନକ ଆତଙ୍କ ଓ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଥିଲା ବେଳେ ଏବେ ପଡୋଶୀ ଘରକୁ ପାଖ ପଡିଶା ଘର ଯିବାକୁ ନାରାଜ । ଏପରିକି କରୋନାକୁ ବାଦ ଦେଇ କେହି କେହି ହୃଦଘାତରେ ମୃତ୍ୟୁବରଣ କଲେ ମଧ୍ୟ ଏଥିରେ ଶେଷକୃତ୍ୟ କରିବାକୁ ପରୋଲୋକ ତ’ ଦୁରର କଥା, ନିଜ ଲୋକ ଓ ବନ୍ଧୁ, ଭାଇ, ବାପା ଓ ଜ୍ଞାତିପରିଜନ କାନ୍ଧକୁ କାନ୍ଧ ମିଳାଇବାକୁ ଆସୁନାହାନ୍ତି । ସର୍ବତ୍ର ଅବିଶ୍ୱାସ ସୃଷ୍ଟି ହେବା ସହିତ ରୋଗ ତା’ ବାଟରେ ବଢ଼ିଚାଲିଛି । ବିଶେଷତଃ ଓଡ଼ିଶାରେ ପଜିଟିଭ ହାର ତଳକୁ କସୁନାହିଁ । ରାଜ୍ୟର ୨୮ଟି ଜିଲ୍ଳାରେ ଟେଷ୍ଟ ପଜିଟିଭ ରେଟ ୧୦ ପ୍ରତିଶତ ଉପରେ ରହୁଥିବା ୧୫ ତାରିଖ ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଛି ଯେ, କେବଳ କଟକ, ଭୁବନେଶ୍ୱର ବା ରାଉରକେଲା ନୁହେଁ । ଗ୍ରାମାଂଚଳରେ ମଧ୍ୟ ପଜିଟିଭ ସଂଖ୍ୟା ବଢ଼ୁଛି । ଯଦିଓ ଗତବର୍ଷ କରୋନାର ପ୍ରଥମ ଲହର ବେଳେ ଏହାର ୬୦ ପ୍ରତିଶତ ଗ୍ରାମାଂଚଳରେ ଓ ୪୦ ପ୍ରତିଶତ ସହରାଂଚଳରେ ଦେଖିବାକୁ ମିଳିଥିଲା, ଏଥର କିନ୍ତୁ ଦ୍ୱିତୀୟ ଲହର ୨୦୨୧ରେ ଆସିବା ସହିତ ଅଙ୍କ ଓଲଟିଯାଇଛି । ଏଥର ଗ୍ରାମାଂଚଳରେ ସଂକ୍ରମଣ ୫୬ ପ୍ରତିଶତକୁ ଛୁଇଁଥିଲା ବେଳେ ସହରାଂଚଳରେ ଏହା ୪୪ ପ୍ରତିଶତ ହୋଇଛି । ପ୍ରଥମ ଓ ଦ୍ୱିତୀୟ ଲହରକୁ ମିଶାଇ ଯଦି ଗ୍ରାମାଂଳର ଓ ସହରାଂଚଳର ହାରା ହାରି ସଂକ୍ରମଣ କଥା ବିଚାରକୁ ନିଆଯାଏ, ତେବେ ଦେଖିବାକୁ ମିଳେ ଯେ, ସମ୍ପ୍ରତି ଗ୍ରାମାଂଚଳରେ ୫୮ ଓ ସହରାଂଚଳରେ ୪୨ ପ୍ରତିଶତ ସଂକ୍ରମିତ ଥିବା ଚିହ୍ନଟ ହୋଇଛି । ସେଥିରେ ଏକାଦିକ୍ରମେ ୭୨ ଘଂଟା ମଧ୍ୟରେ ଲକ୍ଷ୍ୟ କରାଯାଇଛି ଯେ, ପ୍ରତି ୨୪ ଘଂଟାରେ ଦୌନିକ ସଂକ୍ରମଣ ହାର ୧୧ ହଜାରରୁ ତଳକୁ ଖସିବାର ନା’ ଧରୁନାହିଁ । ଲକ୍ଡାଉନ୍ ହେବା ପରେ ମଧ୍ୟ ଏଥିରେ ପରିର୍ବତନ ନଆସିବା ସୂଚାଇ ଦେଉଛି ଯେ, ପୁର୍ନବାର ଏହାର ଅବଧିକୁ ୭୨ରୁ ୧୪୪ ଘଂଟା ବ୍ୟବଧାନରେ ଯଦି ୨୧ବା ୨୪ ତାରିଖରୁ ଜୁନ୍ ୧୫ ଯାଏଁ ବଢ଼ାଇ ଦିଆଯାଏ, ତେବେ କେଉଁଠି ହେଲେ ଗ୍ରାମାଂଚଳ ଓ ସହରାଂଚଳରେ ପଜିଟିଭ ଚେନ୍ ଭାଙ୍ଗିବା ସ୍ୱଭାବିକ । କିନ୍ତୁ ମଝିରେ ୨ରୁ ୫ ଦିନ ଲକ୍ଡାଉନ୍ ଉଠାଇନିଆ ଗଲେ ପ୍ରବାସୀ ଶ୍ରମିକ ଘରକୁ ଫେରିବା ସହଜସାଧ୍ୟ ହୋଇପାରିବ । ଏହା ବ୍ୟତିତ ବିଭିନ୍ନ ଖବରକାଗଜ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ମାଲକାନିଗିରି ଜିଲ୍ଳାର ବଣ୍ଡାଘାଟିରେ ଏବଂ ରାୟଗଡାର ଡଙ୍ଗରିଆ ରୋହୁଥିବା ଅଂଚଳରେ ପଜିଟିଭ ଦେଖିବାକୁ ମିଳିଛି । ଏହା ଉପରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ, ମାଲକାନଗିରି ଓ ରାୟଗଡା ଜିଲ୍ଳାପାଳ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଏଥିରେ ସ୍ଥାନୀୟ ଏନଜିଓ ମାନଙ୍କୁ ସାମିଲ କରାଯାଉଛି କି ନା’ ଓ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଭୁମିକା କିପରି ଅଛି, ସେ ସମ୍ପର୍କରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିବା ସମ୍ପ୍ରତି ଜରୁରି ହୋଇପଡିଛି ।