‘ମମତା’ ଯୋଜନାରେ ପଞ୍ଜୀକରଣ ଅବଧି ୩ରୁ ୭ ମାସକୁ ବୃଦ୍ଧି

ଭୁବନେଶ୍ୱର : କୋଭିଡ-୧୯ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି । ଏଥିସହିତ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରି ଆସୁଛନ୍ତି । ଏଭଳି କଠିନ ସ୍ଥିତିରେ କୋଭିଡ୍ ମାର୍ଗଦର୍ଶିକାର କଡାକଡି ଅନୁପାଳନ ମଧ୍ୟରେ ସମସ୍ତ ଅଙ୍ଗନବାଡି ସେବା ଜାରି ରଖିବା ଏବଂ ଓଡ଼ିଶାକୁ ଫେରୁଥିବା ସମସ୍ତ ଯୋଗ୍ୟ ପ୍ରବାସୀ ଗର୍ଭବତୀ ଓ ପ୍ରସୂତି ମହିଳା, ୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଅଙ୍ଗନବାଡିରେ ପଞ୍ଜୀକରଣ ମାଧ୍ୟମରେ ସମସ୍ତ ସେବା ଯୋଗାଇଦେବାକୁ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୋମବାର ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀମତୀ ସାହୁ ଭର୍ଚୁଆଲ ମାଧ୍ୟମରେ ସାମ୍ପ୍ରତିକ କୋଭିଡ୍ ପରିସ୍ଥିତିରେ ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ନିର୍ଦ୍ଦେଶକ, ସମନ୍ୱିତ ଶିଶୁବିକାଶ ଏବଂ ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲ କହିଥିଲେ ସାରାଦେଶରେ ଲକ୍ ଡାଉନ ସ୍ଥିତି ଲାଗି ରହିଥିବାରୁ ବହୁସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଆସୁଛନ୍ତି । ତନ୍ମଧ୍ୟରେ ଅନେକ ଗର୍ଭବତୀ ମହିଳା ରହିଛନ୍ତି । ସେହିଭଳି ରାଜ୍ୟର ମଧ୍ୟ ଗର୍ଭବତୀ ମହିଳାମାନେ ଲକ୍‌ଡାଉନ ହେତୁ ମମତା ଯୋଜନାରେ ପଞ୍ଜୀକରଣ କରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ‘ମମତା’ ଯୋଜନାର ନିୟମାବଳୀରେ ସଂଶୋଧନ କରାଯାଇଛି । ଏହି ସହାୟତା ପାଇବା ପାଇଁଂଜୀକରଣ ଅବଧିକୁ ୩ ମାସ ରୁ୬ ମାସ ପର୍ଯ୍ୟନ୍ତ ଏବଂ ଅତି କଠିନ ସ୍ଥିତିରେ ୭ ମାସକୁ ବୃଦ୍ଧି କରାଯାଇଛି । ରାଜ୍ୟକୁ ଫେରୁଥିବା ପ୍ରବାସୀ ମହିଳାମାନେ କୌଣସି ଜାତୀୟ କିମ୍ବା ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରସୂତିକାଳୀନ ସହାୟତା ଯୋଜନାର ଅନ୍ତର୍ଭୁକ୍ତ ନହୋଇଥିଲେ ଅଣ୍ଡରଟେକିଙ୍ଗ୍ ଦେଇ ଓଡ଼ିଶାରେ ‘ମମତା’ ଯୋଜନାର ସୁଫଳ ପାଇପାରିବେ । ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ୧୮୧ ହେଲପ୍ ଲାଇନ୍ ରେ ମଧ୍ୟ ‘ମମତା’ ଯୋଜନା ସମ୍ବନ୍ଧୀୟ ସମସ୍ତ ଅଭିଯୋଗ ଗ୍ରହଣ କରାଯିବ । ଏ ସମସ୍ତ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି ବୋଲି ନିର୍ଦ୍ଦେଶକ ଶ୍ରୀ ଅଗ୍ରୱାଲ ସୂଚନା ଦେଇଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ତୁରନ୍ତ ପ୍ରବାସୀ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଅଙ୍ଗନବାଡିରେ ପଞ୍ଜୀକରଣ କରିବା ସହ ସେମାନଙ୍କୁ ସମସ୍ତ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ ।ଏଥିସହ କ୍ଷେତ୍ରରେ କାର୍ଯ୍ୟକରୁଥିବା ସମସ୍ତ ଆଇସିଡିଏସ୍ କାର୍ଯ୍ୟକର୍ତା କିଭଳି କୋଭିଡ୍ ରେ ନିଜକୁ ସୁରକ୍ଷିତ ରଖିପାରିବେ, ସମସ୍ତ କୋଭିଡ୍ ନିୟମାବଳୀର ସଠିକ୍ ଅନୁପାଳନ କରାଯିବ ଏବଂ ଲକ୍ଷଣଯୁକ୍ତ କ୍ଷେତ୍ର କର୍ମଚାରୀମାନଙ୍କୁ ତୁରନ୍ତ କୋଭିଡ୍ ପରୀକ୍ଷା କରି ଚିକିତ୍ସା ସେବା ଯୋଗାଇ ଦିଆଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ବୈଠକରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ରଶ୍ମୀରଞ୍ଜନ ନାୟକ, ଧରଣୀଧର ନନ୍ଦ, ନିତ୍ୟାନନ୍ଦ ବାରିକ, ରେଗା ଗୀତାରାଣୀ ପଟ୍ଟନାୟକଙ୍କ ସହ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

four × 2 =