କର୍ଣ୍ଣାଟକ୍‌: ୧୫ ଦିନରେ ୧୯ହଜାର ଶିଶୁ କରୋନା ଆକ୍ରାନ୍ତ

ବେଙ୍ଗାଲୁରୁ ମହାମାରୀ କରୋନାର ତୃତୀୟ ଲହର ଯେ କୌଣସି ସମୟରେ ଆସିବା ନେଇ ବିଶେଷଜ୍ଞମାନେ ସତର୍କ କରାଇ ଦେଇଥିଲା ବେଳେ ଏହା ଶିଶୁ ମାନଙ୍କ ପାଇଁ ଘାତକ ହେବ । କିନ୍ତୁ ତୃତୀୟ ଲହର ପୂର୍ବରୁ କର୍ଣ୍ଣାଟକରେ ଗତ ୧୫ଦିନ ମଧ୍ୟରେ ୧୯ ହଜାର ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।
ଗତ ପହିଲାରୁ ୧୬ ତାରିଖ ମଧ୍ୟରେ ଏହି ସଂକ୍ରମଣ ହୋଇଛି । ପ୍ରଥମ ଲହର ସମୟରେ ୨୦୨୦ ମାର୍ଚ୍ଚ ୯ରୁ ସେପ୍ଟେମ୍ବର ୨୫ ତାରିଖ ମଧ୍ୟରେ ୧୦ବର୍ଷରୁ କମ୍ ବୟସର ୧୯,୩୭୮ ଜଣ ଶିଶୁ ଏବଂ ୧୧ବର୍ଷରୁ ୨୦ ବର୍ଷ ବୟସର ୪୧,୯୮୫ ଶିଶୁ ପ୍ରଭାବିତ ହୋଇଥିଲେ । କିନ୍ତୁ ଦ୍ୱିତୀୟ ଲହରରେ ଏତେ କମ୍ ସମୟ ମଧ୍ୟରେ ଏତେ ଅଧିକ ଶିଶୁ କରୋନାରେ ସଂକ୍ରମିତ ହେବା ଚିନ୍ତାର କାରଣ ପାଲଟିଛି । ଡାକ୍ତରଙ୍କ କହିବାନୁଯାୟୀ, ଶିଶୁଙ୍କ ଠାରେ କରୋନାର ଆସ୍ୱାଭାବିକ ଲକ୍ଷଣ ଦେଖାଯାଉଛି । ୧୦ ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁଙ୍କ କ୍ଷେତ୍ରରେ ପେଟରୋଗ ମଧ୍ୟ ଦେଖାଦେଉଛି । କିଛି ଶିଶୁଙ୍କ କ୍ଷେତ୍ରରେ ଚର୍ମ ରୋଗ ବି ହେଉଛି । ଶିଶୁଙ୍କଠାରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ସରକାର ସତର୍କ ହୋଇଯାଇଛନ୍ତି ।
ଦିଲ୍ଲୀରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ୨ଜଣ ଶିଶୁଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇଯାଇଛି । ଜଣେ ୫ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ୯ବର୍ଷର । ଏହି ଦୁଇ ଶିଶୁ ଦିଲ୍ଲୀର ଗୁରୁ ତେଗ ବାହାଦୁର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୫ ବର୍ଷର ଶିଶୁ ପରୀ ୬ଦିନ ପର୍ଯ୍ୟନ୍ତ ଭେଂଟିଲେଟରରେ ରହିବା ପରେ ଗତ ବୁଧବାର ଆଖି ବୁଜିଛନ୍ତି । ସେହିଭଳି ୯ବର୍ଷୀୟ କ୍ରିସୁ ମଧ୍ୟ ଗତ ଗୁରୁବାର ସକାଳେ ସେହି ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ଦୁଇ ଶିଶୁଙ୍କର ଅକ୍ସିଜେନ୍ ସ୍ତର ୩୦ତଳକୁ ଖସିଯିବା ସହିତ ଫୁସ୍‌ଫୁସ୍ ଯଥେଷ୍ଟ ମାତ୍ରାରେ ସଂକ୍ରମିତ ହୋଇଯାଇଥିଲା ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ସ୍ୱାସ୍ଥ୍ୟ ବିଶୋଷଜ୍ଞଙ୍କ କହିବାନୁଯାୟୀ ଯେଉଁ ପିଲାମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକ୍‌ାଂଶଙ୍କ ଠାରେ ହାଲ୍‌କା ଜ୍ୱର, କାଶ, ଶର୍ଦ୍ଦି, ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ, ଥକାପଣ, ଗଳା ଦରଜ ହେବା, ସ୍ୱାଦ ବାରି ନପାରିବା, ଆଘ୍ରାଣ ଶକ୍ତି କମିଯିବା, ମାଂସପେଶୀ ଦରଜ ହେବା ଆଦି ଲକ୍ଷଣ ଦେଖିବାକୁ ମିଳୁଛି । କିଛି ପିଲାଙ୍କ ନିକଟରେ ପେଟରୋଗ ଜନିତ ସମସ୍ୟା ସହିତ ଅନ୍ୟ ଅସାଧାରଣ ଲକ୍ଷଣ ଦେଖିବାକୁ ମିଳୁଛି । ଏକ ଗବେଷଣା ଅନୁଯାୟୀ, ପିଲାଙ୍କ ଠରେ ମଲ୍ଟି ସିଷ୍ଟମ ଇନ୍‌ଫ୍ଲାମେଟରି ସିଣ୍ଡ୍ରୋମ୍ ନାମକ ଏକ ନୂଆ ଲକ୍ଷଣ ଦେଖିବାମୁ ମିଳୁଛି । ଏଥିରେ ଜ୍ୱର, ପେଟ ଦରଜ, ଥକାପଣ, ହୃତପିଣ୍ଡର ସ୍ପନ୍ଦନ ବଢିଯିବା, ଆଖି ଲାଲ ପଡିବା ଭଳି ଲକ୍ଷଣ ରହିଛି ।

Leave A Reply

Your email address will not be published.

5 × five =