ଲଣ୍ଡନ: ବିଜ୍ଞାନ ଓ ପ୍ରଯୁକ୍ତିର ଚମତ୍କାରିତା ବଳରେ ଖୁବଶୀଘ୍ର ରାସ୍ତାକୁ ଆସିବ ଉଡନ୍ତା ଟାକ୍ସି । ଫଳରେ ଏହାଦ୍ୱାରା ଟ୍ରାଫିକ ସଙ୍କେତ ନିକଟରେ ଦୀର୍ଘ ସମୟ ଧରି ଅଟକି ରହିବା ସମସ୍ୟା ଆଉ ରହିବ ନାହିଁ । ଆସନ୍ତା ୨୦୨୪-୨୫ ସୁଦ୍ଧା ଏହା ବାସ୍ତବ ରୂପ ନେବ ବୋଲି ଆଶା ପ୍ରକାଶ କରିଛନ୍ତି ୟୁରୋପୀୟ ନିୟାମକ ସଂସ୍ଥା । ଇତିମଧ୍ୟରେ ଅଧ ଡଜନ ସଂଖ୍ୟକ ୟୁରୋପୀୟ କମ୍ପାନୀ ଏହିଭଳି ସହରାଂଚଳ ଆକାଶମାର୍ଗ ଯାତାୟତ ଯାନ ବିକଶିତ କରିଥିବା ଘୋଷଣା କରିଛନ୍ତି । ଏଥିରେ ଯାତ୍ରାମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାତାୟତ କରିପାରିବେ ଅଥବା ଏହିଭଳି ମାନବ ବିହୀନ ଯାନରେ ଚିକିତ୍ସା ଆଦି ସହଜରେ ପରିବହନ କରାଯାଇପାରିବ । ୟୁରୋପରେ ଏହିଭଳି ଉଡନ୍ତା ଟାକ୍ସି ଆସନ୍ତା ୨୦୨୪ ପ୍ରଥମ ଭାଗରେ ତାହାର ସେବା ଯୋଗାଣ ଆରମ୍ଭ କରିବା ଆଶା କରାଯାଉଛି । ୟୁରୋପିଆନ ୟୁନିୟନ ଆଭିଏସନ ସେଫ୍ଟି ଏଜେନ୍ସି (ଇଏଏସଏ)ର ନିର୍ବାହୀ ନିର୍ଦ୍ଦେଶକ ପାଟ୍ରିକ କେ ୱାଇ କହିଛନ୍ତି, ୨୦୨୪-୨୫ରେ ଉଡନ୍ତା ଟାକ୍ସିଗୁଡିକର ବ୍ୟବସାୟିକ ଚଳାଚଳ ଆରମ୍ଭ ହେବା ସେ ଆଶା କରୁଛନ୍ତି । ସେ କହିଛନ୍ତି ଯେ ୟୁରୋପରେ ୨୦୩୦ ସୁଦ୍ଧା ସହରାଂଚଳ ଆକାଶମାର୍ଗରେ ଚଳାଚଳ କରୁଥିବା ଯାନ (ୟୁଏଏମ)ର ବଜାର ପ୍ରାୟ ୪.୨ ବିଲିଅନ ୟୁରୋରେ ପହଂଚିବ ଏବଂ ଏହି କ୍ଷେତ୍ରରେ ପ୍ରାୟ ୯୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଇତିମଧ୍ୟରେ ଇଏଏସଏ କେତେକ ଡିଜାଇନକୁ ପ୍ରମାଣପତ୍ର ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିସାରିଛି ଏବଂ ୨୦୨୪ ସୁଦ୍ଧ ହାଲୁକା ମେସିନଗୁଡିକ ପାଇଁ ପ୍ରଥମ ଅନୁମୋଦନ ପ୍ରଦାନ ଆଶା କରୁଛି । କେ ୱାଇ କହିଛନ୍ତି, ଜମାର୍ନୀର ଏକ ଷ୍ଟାର୍ଟଅପ ସଂସ୍ଥା ଭୋଲୋକପ୍ଟର ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଯତା ଏରୋପୋର୍ଟସ ଡି ପ୍ୟାରିସର ମୁଖ୍ୟମାନେ ଆଶା ରଖିଛନ୍ତି ଯେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଏହି ପ୍ରଯୁକ୍ତିକୋଶଳ ପ୍ରଦର୍ଶନ କରିବେ । ତେବେ ଏଗୁଡିକ ସହରାଂଚଳ, ରେଳବାଇ ଆଦି ଉପରେ କିଭଳି ଉଡାଣ କରୁଛନ୍ତିଳ ଆକାଶରେ ଉଡୁଥିବା ପକ୍ଷୀ, ସାଇବର ନିରାପତା, ସେଥିରୁ ନିର୍ଗତ ଶବ୍ଦ ଆଦି ସମସ୍ତ ସୁରକ୍ଷାଗତ ଦିଗ ଉପରେ ଟିକିନିଖି ଅନୁଧ୍ୟାନ କରାଯିବା ପରେ ଅନୁମୋଦନ ପ୍ରଦାନ କରାଯିବ ।