ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଏବଂ ଗୁରୁତର ରୋଗ ଥିବା ବ୍ୟକ୍ତି ଚିହ୍ନଟ(ସର୍ଭେ) କାର୍ଯ୍ୟ ଆରମ୍ଭ କରିବେ । ଏଥିରେ ସେମାନେ ନିଶ୍ଚିତ ଭାବେ ସଫଳ ହେବେ ଏବଂ ସେମାନଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭୦ ହଜାରରୁ ଊର୍ଦ୍ଧ୍ୱ ଆଇସିଡିଏସ୍ କର୍ମକର୍ତାଙ୍କ ପାଇଁ ଅନୁଷ୍ଠିତ ଭର୍ଚୁଆଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଛନ୍ତି ।
ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ ପରିପ୍ରେକ୍ଷୀରେ ଆୟୋଜିତ ଭର୍ଚୁଆଲ ଦକ୍ଷତା ବୃଦ୍ଧି ୱେବିନାରରେ ମୁଖ୍ୟମନ୍ତ୍ରୀ କୋଭିଡ୍ ସମୟରେ ଏହି ଆଗଧାଡ଼ିର କାର୍ଯ୍ୟକର୍ତାମାନଙ୍କ କ୍ରମାଗତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିବା ସହ ଗାଁକୁ ସୁରକ୍ଷା ଦେବା ସହ ନିଜେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି । ୱେବିନାରରେ କାର୍ଯ୍ୟକର୍ତାମାନଙ୍କୁ ଉଦ୍ବୋଧନ ଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ କୋଭିଡ୍ ଦ୍ୱିତୀୟ ଲହରର ଭୟାବହତାକୁ ଦେଖି ପ୍ରତ୍ୟେକ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ । ଏହି ଆହ୍ୱାନର ମୁକାବିଲା ଦିଗରେ ଆମର ଆଇସିଡିଏସ୍ କାର୍ଯ୍ୟକର୍ତା ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଗ୍ରାମାଂଚଳରେ କୋଭିଡ୍ ସଚେତନତା ସୃଷ୍ଟି ସହ ସେମାନେ ନିଜର ଓ ନିଜ ପରିବାରର ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହେବେ ବୋଲି କହିବା ସହ କୋଭିଡ୍ ସଂଗ୍ରାମରେ ପ୍ରାଣ ହରାଇଥିବା ବିଭାଗର କୋଭିଡ୍ ଯୋଦ୍ଧାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।