ଭୁବନେଶ୍ୱର: ଜୁନ୍ ୧ରୁ ଡିଗ୍ରୀ କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଖରା ଛୁଟି ପରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟରେ ଓ ଡିଗ୍ରୀ କଲେଜ୍ ଗୁଡିକରେ ଅନ୍ଲାଇନ୍କ୍ଲାସ୍ ଆରମ୍ଭ ହେବ । ବର୍ତମାନ ଶ୍ରେଣୀ ଗୃହରେ ପାଠପଢା ସମ୍ଭବ ନୁହେଁ । ସେହିପରି ପରବର୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ହଷ୍ଟେଲ୍ ଗୁଡିକ ବନ୍ଦ ରହିବ ବୋଲି ଏଥିରେ କୁହାଯାଇଛି ।
ପରୀକ୍ଷା ସମ୍ପର୍କରେ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗ ସ୍ପଷ୍ଟ କରି ଦେଇଛି । ବିଭାଗ ପକ୍ଷରୁ କୁହାଯାଇଛି ୟୁଜିସିର ନିଷ୍ପତି ସମ୍ପର୍କରେ ସୂଚନା ପାଇବା ପରେ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ତତ୍କାଳ ପ୍ରଭାବରୁ ବନ୍ଦ କରିଦେଇଥିଲେ । ତା’ ସହିତ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ ।