ଭୁବନେଶ୍ୱର: କରୋନାରେ ବରିଷ୍ଠ ସାମ୍ବାଦିକ ତଥା ରାଜନୀତିକ ସମୀକ୍ଷକ ବସନ୍ତ ଦାସଙ୍କର ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ (ଗତକାଲି) ରାତିରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା ।
ମେ’ ୨୬ରେ ବସନ୍ତ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତା’ପରେ ସେ ହୋମ୍ କ୍ୱାରେଂଟାଇନ୍ରେ ଥିଲେ । ତେବେ ସ୍ୱାସ୍ଥ୍ୟାବସ୍ଥା ବିଗିହିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ସେଠାରେ ତିନି ଦିନ ଧରି ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତି ୧୧ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଲେଷକ ଭାବରେ ସୁନାମ ଅର୍ଜନ କରିଥିଲେ । ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ସେ ସାମ୍ବାଦିକତା ବୃତିରେ ସକ୍ରିୟ ରହିଥିଲେ । ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।