ବିନିକା : ‘ଶଲାବୁଢ଼ା’ ଫେମ୍ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଯାଇଛି । ତାଙ୍କ ସାନ ପୁଅ ଅରୁଣ ପଣ୍ଡା ଏହି ସୂଚନା ଦେଇଛନ୍ତି ।
ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ୩ଟା ୪୫ ମିନିଟ୍ରେ ଅଟଳ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ସେ ବ୍ଲଡ୍ ସେପ୍ଟିସେମିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇଯାଇଥିଲା ।
ପଶ୍ଚିମ ଓଡ଼ିଶାରେ ଜଣେ ଜଣାଶୁଣା ଚେହେରା ଥିଲେ ସ୍ୱର୍ଗତ ଅଟଳ ବିହାରୀ ପଣ୍ଡା । ସେ ସମ୍ବଲପୁରୀ ଭାଷାରେ ଶତାଧିକ ନାଟକରେ ଅଭିନୟ କରିଥିଲେ । ତା’ ସହିତ ଅନେକ ନାଟକ ରଚନା କରିଥିଲେ । ୮୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ ‘ଶଲାବୁଢ଼ା’ କରିଥିଲେ । ଏହି ସମ୍ବଲପୁରୀ ଫିଲ୍ମରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଆଉ ସେଥିପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ସ୍ୱର୍ଗତ ପଣ୍ଡା ‘ଶଲାବୁଢ଼ା’ର ସିକ୍ୱେଲ୍ ‘ଆଦିମ ବିଚାର’ରେ ମଧ୍ୟ ଅଭିନୟ କରିଥିଲେ । ଏଥିପାଇଁ ବି ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୨୦୨୦ରେ ‘ଶଲାବୁଢ଼ା’ ସିରିଜ୍ର ତୃତୀୟ ଫିଲ୍ମ ‘ଶଲାବୁଢ଼ାର ବଦଲା’ରେ ମଧ୍ୟ ସେ ଅଭିନୟ କରିଥିଲେ ।
ମେ’ ୧୬ ତାରିଖରେ ଅଟଳ ବିହାରୀ ପଣ୍ଡାଙ୍କ ପତ୍ନୀ ଲଳିତା ପଣ୍ଡା (୮୦)ଙ୍କର ପରଲୋକ ହୋଇଥିଲା । ପତ୍ନୀଙ୍କ ମୃତ୍ୟୁପରେ ସେ ଭାଙ୍ଗି ପଡ଼ିଥିଲେ । ଦେହ ଖରାପ ହେବାରୁ ମେ’ ୧୯ ତାରିଖରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମେ’ ୩୧ ତାରିଖରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲା । ତେବେ ପୁଣି ଅବସ୍ଥା ଗୁରୁତର ହେବାରୁ ଜୁନ୍ ୧ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।