ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ଯୁବ ନେତା ତଥା ରାହୁଳ ଗାନ୍ଧୀ ଓ ପ୍ରୀୟଙ୍କାଙ୍କ ଅତି ନିକଟତମ ଭାବେ ପରିଚିତ ଜିତନ୍ ପ୍ରସାଦ ଆଜି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜିତନ ବିଜେପିରେ ସାମିଲ ହୋଇଛନ୍ତି । ଆସନ୍ତାବର୍ଷ ୟୁପିରେ ବିଧାନସଭା ନିର୍ବାଚନ ରହିଛି । ଏହା ପୂର୍ବରୁ ଜିତନ ବିଜେପିରେ ସାମିଲ୍ ହେବା ବିରୋଧୀ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ୨୦୧୯ରେ ଜିତିନ ପ୍ରସାଦ କଂଗ୍ରେସ ଛାଡିବା ନେଇ କଳ୍ପନାଜଳ୍ପନା କରାଯାଇଥିଲା କିନ୍ତୁ ସେତେବେଳେ ତାହା ହୋଇ ନଥିଲା ।
ବିଜେପି ସଭାପତି ଜେପି ନଡ୍ଡା ଏବଂ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ଜିତନ ବିଜେପିରେ ସାମିଲ୍ ହୋଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ଜିତିନ ପ୍ରସାଦ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ମୁଖ୍ୟ ଜେପି ନଡ୍ଡା ଏବଂ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଥିଲେ । ବିଜେପି ମୁଖପାତ୍ର ତଥା ଉତ୍ତରପ୍ରଦେଶର ସାଂସଦ ଅନୀଲ ବାଲୁନି ବୁଧବାର ଟ୍ୱିଟ୍ କରି କହିଥିଲେ ଅପରାହ୍ନ ଗୋଟାଏରେ ଜଣେ ବଡ ନେତା ବିଜେପିରେ ସାମିଲ ହେବେ । ଏହାପରେ ଜିତିନ ପ୍ରସାଦଙ୍କ ନାଁକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା ।
ସୂଚନା ଯୋଗ୍ୟ ଯେ, ମନମୋହନ ସିଂହ ସରକାରରେ ଜିତନ କେନ୍ଦ୍ର ମାନବ ସମ୍ବଳ ଓ ପେଟ୍ରୋଲିୟମ୍ ରାଷ୍ଟ୍ରମନ୍ତ୍ରୀ ଥିଲେ । ତାଙ୍କ ବାପା ସ୍ୱର୍ଗତ ଜିତେନ୍ଦ୍ର ପ୍ରସାଦ ମଧ୍ୟ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । ସେ ରାଜୀବ ଗାନ୍ଧୀ ଓ ନରସିଂହ ରାଓ ସରକାର ଅମଳରେ ପରାମର୍ଶ ଦାତା ଥିଲେ ।
୪୭ ବର୍ଷ ବୟସ୍କ ଜିତିନ୍ କଂଗ୍ରେସ ଛାଡିବାରେଦ୍ୱିତୀୟ ବରିଷ୍ଠ ଯୁବ ନେତା ।
ପୂର୍ବରୁ ଜ୍ୟୋତିରାଦ୍ୱିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ ।