ଚାକିରିରୁ ଡାକ୍ତର ବହିଷ୍କୃତ

ବଲାଙ୍ଗିର: ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାର ପୂର୍ବତନ ଏସ୍‌ଡିଏମ୍‌ଓ ତଥା ଡାକ୍ତର ବାଚସ୍ପତି ଦାଶଙ୍କୁ ସିଡିଏମ୍‌ଓ ଆଜି ଚାକିରିରୁ ବହିଷ୍କାର କରିଛନ୍ତି । ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରିଥିବା ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବଲାଙ୍ଗିର ସିଡିଏମ୍‌ଓ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଡାକ୍ତର ବାଚସ୍ପତି ଦାଶ ସେଠାରେ ଏକ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ମାମଲାରେ ଛନ୍ଦି ହୋଇଥିଲେ । ସେ ନେଇ ତଦନ୍ତ ଚାଲିଥିଲା ଓ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପାଟଣାଗଡ଼ ଡାକ୍ତରଖାନାରେ ରୋଗୀଙ୍କୁ ଲାଞ୍ଚ ମାଗିବା ଘଟଣାରେ ଡାକ୍ତର ବାଚସ୍ପତି ଦାଶ ବିରୋଧରେ ତଦନ୍ତ ଚାଲିଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କ ବିରୋଧରେ ତଦନ୍ତ କରୁଛି । ରୋଗୀଙ୍କୁ ଲାଞ୍ଚ ମାଗୁଥିବା ଅଭିଯୋଗ ଆସିବା ପରେ ବଲାଙ୍ଗିର ସିଡିଏମ୍ ଓ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲ୍‌କୁ ବଦଳି କରାଯାଇଥିଲା ।

Leave A Reply

Your email address will not be published.

three × five =