ନୂଆଦିଲ୍ଲୀ: ବିଶ୍ୱ ବ୍ୟାପି ଇଣ୍ଟରନେଟ୍ରେ ଆଜି ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଛି । ବିଶ୍ୱର ଅନେକ ପ୍ରମୁଖ ୱେବସାଇଟ୍ ହଠାତ୍ ଅଚଳ ହୋଇଯାଇଥିଲା । ସରକାରୀ, ଖବର ପୋର୍ଟାଲ୍ ଓ ସୋସିଆଲ ମିିଡିଆ ୱେବସାଇଟ୍ଗୁଡ଼ିକ କିଛି ସମୟ ପାଇଁ ଅଚଳ ହେବା ପରେ ପୁଣି ସ୍ୱାଭାବିକ ହୋଇଥିଲା । ଫାଷ୍ଟଲି ନାମକ ଆମେରିକାର ଏକ କ୍ଲାଉଡ୍ କଂପାନି ପାଇଁ ଏଭଳି ବିଭ୍ରାଟ ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି । ଭାରତରେ କେଉଁ ୱେବ୍ସାଇଟ୍ ପ୍ରଭାବିତ ହୋଇଥିଲା ତାହା ଜଣାପଡ଼ିବନି ।
ସାରା ବିଶ୍ୱରେ ବହୁଳ ବ୍ୟବହୃତ ହେଉଥିବା ୱେବସାଇଟ୍ ଯଥା ରେଡିଟ୍, ଆମାଜନ୍, ସିଏନ୍ଏନ୍, ପେପାଲ୍, ସ୍ପଟିଫାଏ, ଅଲ୍ ଜଜିରା ମିଡିଆ ନେଟ୍ୱର୍କ ଓ ନ୍ୟୁୟର୍କ ଟାଇମ୍ସର ୱେବସାଇଟ୍ ଠିକ୍ ଭାବେ କାମ କରିନଥିଲା । କିଛି ମିନିଟ୍ରୁ ଆରମ୍ଭ କରି ଏକ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ୱେବସାଇଟ୍ରେ ଏହି ସମସ୍ୟା ରହିଥିଲା ବୋଲି ଡାଉନ୍ଡିଟେକ୍ଟର ନାମକ ୱେବସାଇଟ୍ରୁ ଜଣାପଡ଼ିଛି । ଏହି ବିଭ୍ରାଟ ବିଷୟରେ ଜଣାପଡ଼ିବା ପରେ ଫାଷ୍ଟଲି ତରଫରୁ ତୁରନ୍ତ ସମସ୍ୟାକୁ ଚିହ୍ନଟ କରାଯିବା ସହ ତାହାର ସମାଧାନ କରାଯାଇଛି । ଫାଷ୍ଟ୍ଲି ହେଉଛି ସାରା ବିଶ୍ୱରେ ବହୁଳ ଭାବେ ବ୍ୟବହାର ହେଉଥିବା ଏକ କ୍ଲାଉଡ୍ ଭିତ୍ତିକ କଣ୍ଟେଣ୍ଟ୍ ଡେଲିଭରି ନେଟ୍ୱର୍କ । ଏହି ସଂସ୍ଥା ୱେବସାଇଟ୍ଗୁଡ଼ିକ ଭିଡ଼ କମ୍ ଥିବା ରୁଟ୍ ଜରିଆରେ ସେମାନଙ୍କ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରୁଛି । ବ୍ରିଟେନ୍ର ଆଟର୍ଣ୍ଣି ଜେନେରାଲ୍ ଟୁଇଟ୍ କରି ଜଣାଇଥିଲେ ଯେ ଗଭ୍ ଡଟ୍ ୟୁକେ ୱେବସାଇଟ୍ ଡାଉନ୍ ରହିଛି । ନାଗରିକମାନେ କୋଭିଡ୍-୧୯ ଟିକାକରଣ ଲାଗି ବୁକିଙ୍ଗ କରିବା ବେଳେ ସମସ୍ୟା ସାମ୍ନା କରୁଛନ୍ତି । ନିଉଜ୍ ପୋର୍ଟାଲ୍ ଗୁଡ଼ିକ ଅଚଳ ହୋଇପଡ଼ିବା ପରେ ସେମାନେ ବିକଳ୍ପ ମାଧ୍ୟମରେ ଖବର ପ୍ରକାଶ କରିଥିଲେ । ବିଶ୍ୱର ଲୋକପ୍ରିୟ ୱେବସାଇଟ୍ ଭର୍ଜ ତରଫରୁ ଗୁଗୁଲ୍ ଡକ୍ସ ଜରିଆରେ ଖବର ପ୍ରକାଶ କରାଯାଇଥିଲା ।
ସେହିପରି ବ୍ରିଟେନ୍ର ଗାର୍ଡିୟାନ ତରଫରୁ ସମସ୍ୟା ବିଷୟରେ ଟ୍ୱିଟରରେ ସୂଚନା ଦିଆଯାଇଥିଲା । ରେଡିଟ୍ର ପ୍ରାୟ ୨୧ ହଜାର ଓ ଆମାଜନ୍ର ୨ ହଜାରରୁ ଅଧିକ ବ୍ୟବହାରକାରୀ ସମସ୍ୟା ସାମ୍ନା କରିଥିଲେ । ଫାଇନାନ୍ସିଆଲ ଟାଇମ୍ସ, ଦି ଗାଡିୟାନ, ଦି ନ୍ୟୁୟର୍କ ଟାଇମସ୍ ଓ ବ୍ଲୁମ୍ବର୍ଗ ନିଉଜ୍ ଭଳି ଖବର ପ୍ରକାଶ କରୁଥିବା ସଂସ୍ଥାର ୱେବସାଇଟ୍ ମଧ୍ୟ ପ୍ରଭାବିତ ହୋଇଥିଲା । ଭାରତୀୟ ସମୟ ଗତକାଲି ରାତି ଗୋଟାଏ ୧୮ ମିନିଟ୍ରୁ ଏହି ସମସ୍ୟା ଆରମ୍ଭ ହୋଇଥିଲା । ଫାଷ୍ଟଲିର ସିଡିଏନ୍ ସର୍ଭରରେ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିଲା । ବିଶ୍ୱର ଅଧିକାଂଶ ୱେବସାଇଟ୍ରେ ‘ଏରର’ ମେସେଜ୍ ଦେଖାଇଥିଲା ।