ଭୁବନେଶ୍ୱର : ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୂରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ପୁରୀ ବ୍ୟତିତ ଅନ୍ୟ ସମସ୍ତ ସ୍ଥାନରେ ଚଳିତ ବର୍ଷ ରଥ ଯାତ୍ରାକୁ ନିଷିଦ୍ଧ ଘୋଷଣା କରିଛନ୍ତି ।
ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ,
କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ପୂର୍ବ ବର୍ଷ ଭଳି ଏଭଳି ନିଷ୍ପତ୍ତି ନେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଗତବର୍ଷ ପରି ବିନା ଭକ୍ତରେ ଅନୁଷ୍ଠିତ ହେବ । କେବଳ ସେବାୟତମାନେ ଏଥିରେ ନିୟୋଜିତ ହେବେ । ଯେଉଁ ସେବାୟତମାନେ ଦୁଇଟି ଡୋଜ୍ ଟିକା ନେଇଥିବେ ବା ରଥଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଯେଉଁ ସେବାୟତଙ୍କ ଆରଟିପିସିଆର ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଥିବ ସେମାନେ ଏଥିରେ ସାମିଲ ହୋଇପାରିବେ ।
ସେ ଆହୁରି କହିଛନ୍ତି, ଗତ ବର୍ଷ ଭଳି ଚଳିତ ବର୍ଷ ବି ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ କଟକଣା ଜାରୀ କରାଯିବ । ପୁରୀକୁ କୌଣସି ବସ୍, ଟ୍ରେନ୍ ଓ ଯାନବାହାନ ଚଳାଚଳ ଉପରେ କଟକଣା ଲାଗୁହେବ । ଶ୍ରୀ ଜେନା ଆହୁରି କହିଛନ୍ତି ଯେ, ଗତବର୍ଷ ମହାମାରୀ କରୋନାର ପ୍ରଥମ ଲହର ସଂକ୍ରମଣ ଯୋଗୁଁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । କେବଳ ସେବାୟତ ମାନେ ହିଁ ରଥ ଟାଣିଥିଲେ । ତେବେ ପ୍ରତି ରଥକୁ ଟାଣିବା ପାଇଁ ୫ଶହ ସେବାୟତଙ୍କୁ ଅନୁମତି ଦିଆଯାଇଥିଲା । ଏଥର ମଧ୍ୟ ସେହିପରି ୫ଶହ ସେବାୟତ ଗୋଟିଏ ରଥକୁ ଟାଣିବା ନିୟମ ବଳବତର ରହିଛି ।
ଏସ୍ଆରସି ଶ୍ରୀ ଜେନା କହିଛନ୍ତି, ରାଜ୍ୟର ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ଗତବର୍ଷ ପରି ଚଳିତ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ । ତେବେ ମନ୍ଦିର ଭିତରେ ମହାପ୍ରଭୁଙ୍କର ନୀତିକାନ୍ତି ସଂପନ୍ନ କରାଯାଇପାରିବ । ମନ୍ଦିର ପରିସରରେ ନୀତିକାନ୍ତି ସଂପନ୍ନ କରାଯାଇପାରିବ । କିନ୍ତୁ ମନ୍ଦିର ବାହାରେ କିଛି କାର୍ଯ୍ୟକଳାପ ହୋଇପାରିବ ନାହିଁ । ସେହିଭଳି ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ନେବ । ସୂଚନା ଓ ଲୋକ ସଂପର୍କ ବିଭାଗ ପାଖରୁ ଅନ୍ୟ ଚ୍ୟାନେଲ୍ ମାନେ ଫିଡ୍ ନେଇ ପ୍ରସାରଣ କରିପାରିବେ ।ତେବେ ସେମାନେ ନିଜେ ଏହାର ସିଧାପ୍ରସାରଣ କରିବା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ । ସେହିଭଳି ରଥଯାତ୍ରାର ସ୍ଥିର ଚିତ୍ର ଉତ୍ତୋଳନ ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ନିଷ୍ପତି ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ଗତ ବର୍ଷ ରଥଯାତ୍ରା ବେଳେ ରାଜ୍ୟରେ କରୋନାର ପ୍ରଥମ ଲହର ଚାଲିଥିଲା । ଏବେ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲିଛି । ବିଗତ କିଛି ଦିନ ଅପେକ୍ଷା ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ଅଧା ହୋଇଥିଲେ ହେଁ ସ୍ଥିତି ସ୍ୱାଭାବିକ ହୋଇନାହିଁ । ଏବେ ବି ଦୈନିକ ସଂକ୍ରମଣ ୬ ହଜାର ଉପରେ ରହିଛି ।