ଦିନକରେ କରୋନା ନେଲା ୬୧୪୮ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆଜି ଦେଶରେ ରେକର୍ଡ ସଂଖ୍ୟକ ୬୧୮୪ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ସଂକ୍ରମଣ ସଂଖ୍ୟା ୧ଲକ୍ଷ ତଳେ ରହିଛି । ଆଜି ଦିନକରେ ଦେଶରେ ୯୪,୦୫୨ ଆକ୍ରାନ୍ତ ହୋଇଥିଲା ବେଳେ ମୋଟ୍ ଆକ୍ରାନ୍ତଙ୍କ ୨,୯୧,୮୩,୧୨୧ରେ ପହଞ୍ଚିଛି । ସେହିପରି ମୃତ୍ୟୁସଂଖ୍ୟା ୩,୫୯,୬୭୬ରେ ପହଞ୍ଚିଛି । ଆଜି ଦିନକରେ ବିହାରରେ କେବଳ ୩୯୫୧ ଜଣଙ୍କର ମୃତ୍ୟୁ ଘଟିଥିବା ଘୋଷଣା ପରେ ଦେଶରେ ମୃତ୍ୟୁ ସଂଖ୍ୟା ରେକର୍ଡ ଭଙ୍ଗ କରିଛି । ଗତ ବର୍ଷକ ମଧ୍ୟରେ ଦେଶରେ ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିନଥିଲା । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିହାରରେ ମହାମାରୀଜନିତ ମୃତ୍ୟୁସଂଖ୍ୟା ୯,୪୨୯ରେ ପହଞ୍ଚିଛି । ଯାହାକି ୭୨% ବୃଦ୍ଧି ପାଇଛି । ବିହାର ରାଜ୍ୟର ମୃତ୍ୟୁସଂଖ୍ୟାରେ ଏଭଳି ଅଚାନକ ବୃଦ୍ଧି କେନ୍ଦ୍ର ସରକାରଙ୍କ ଦୌନିକ କୋଭିଡ୍ ମୃତ୍ୟୁ ହିସାବକୁ ମଧ୍ୟ ପ୍ରଭାବିତ କରିଛି । ସୂଚନାଯୋଗ୍ୟ, ଏପ୍ରିଲ୍‌-ମେ ମାସରେ କୋଭିଡ୍ ମହାମାରୀର ଦ୍ୱିତୀୟ ପ୍ରବାହ ଦ୍ରୁତ ବେଗରେ ବିସ୍ତାର ଲାଭ କରୁଥିବା ବେଳେ ବିହାର ସରକାର ମହାମାରୀ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଲୁଚାଉଛନ୍ତି ବୋଲି ଅଭିଯୋଗ ହେବା ପରେ ମୃତ୍ୟୁସଂଖ୍ୟା ଅଡିଟ୍ କରିବା ଲାଗି ପାଟନା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ତିନି ସପ୍ତାହ ପରେ ପ୍ରାପ୍ତ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଲା ଯେ, ୨୦୨୦ ଏବଂ ୨୦୨୧ ମାର୍ଚ ମଧ୍ୟରେ ବିହାରରେ କୋଭିଡ୍‌-୧୯ ଯୋଗୁଁ ୧୬,୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବର୍ଷ ଏପ୍ରିଲ୍ ରୁ ଜୁନ୍ ମାସ ମଧ୍ୟରେ ପ୍ରାୟ ୬ଗୁଣ ଅଧିକ ଅର୍ଥାତ୍ ୭,୭୭୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୩୬୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୭୬,୫୫,୪୯୩ରେ ପହଞ୍ଚିଛି । ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୧,୬୭,୯୫୨ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୪,୨୭,୨୬,୬୯୩ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍‌ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୯ ତାରିଖ ସୁଦ୍ଧା ସମୁଦାୟ ୩୭,୨୧,୯୮,୨୫୩ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୨୦,୦୪,୬୯୦ଟି ନମୁନା ।

Leave A Reply

Your email address will not be published.

19 − 9 =