ଖର୍ଚ୍ଚ କାଟ ପାଇଁ ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ଦେଶରେ ଅର୍ଥନୀତି ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଏବେ ବିଜୁକ୍ତ ୭.୪ ଥିବା ଆକଳନ ହୋଇଛି । ଦେଶର ଅର୍ଥ ବ୍ୟବସ୍ଥା ତଳକୁ ତଳକୁ ଖସିବାରେ ଲାଗିଥିବା ଦୃଷ୍ଟିରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ୨୦% ଖର୍ଚ୍ଚ କାଟ କରିବାକୁ ନିର୍ଦ୍ଦେଶ ଦେଇଛି । ଏ ସମ୍ପର୍କରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକୁ ପତ୍ର ଲେଖି ଅଯଥା ଓ ଏଡାଇ ହେବାଭଳି ଖର୍ଚ୍ଚ କମାଇବାକୁ କୁହାଯାଇଛି । ଏପରିକି ୨୦% ଖର୍ଚ୍ଚ ଯେଭଳି କମାଯାଇପାରିବ, ସେ ଦିଗରେ ପଦକ୍ଷେପ ନେବାକୁ ଅର୍ଥ ମନ୍ତ୍ରଣାଳୟ କହିଛି ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୦୨୧-୨୨ ଆର୍ôଥକ ବର୍ଷରେ ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ଆକାଶଛୁଆଁ ହେବା ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ମନ୍ତ୍ରଣାଳୟ ଓ ବିଭାଗ ସେମାନଙ୍କର ଅଯଥା ତଥା ଏଡାଇ ହେବାଭଳି ଖର୍ଚ୍ଚଗୁଡିକ କମାଇବାର ଆବଶ୍ୟକତା ରହିଛି । ୨୦୧୯-୨୦ରେ ସଂପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ପକ୍ଷରୁ ଯେତିକି ଖର୍ଚ୍ଚ କରାଯାଇଥିଲା, ତାହାକୁ ଆଧାର ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଯେଉଁସବୁ ବାବଦରେ ଖର୍ଚ୍ଚ ହ୍ରାସ କରାଯାଇପାରିବ ସେଥିମଧ୍ୟରେ ଓଭରଟାଇମ ଭତ୍ତା, ପୁରସ୍କାର, ଘରୋଇ ଓ ବିଦେଶ ଗସ୍ତ ବାବଦ ଖର୍ଚ୍ଚ, ଦପ୍ତର ଖର୍ଚ୍ଚ, ଭଡା ଓ ଟିକସ, ରୟାଲଟି, ପ୍ରକାଶନ, ଅନ୍ୟାନ୍ୟ ପ୍ରଶାସନିକ ଖର୍ଚ୍ଚ, ଯୋଗାଣ ଓ ସାମଗ୍ରୀ, ତେଜରାତି ସାମଗ୍ରୀ କ୍ରୟ, ଇନ୍ଧନ ବାବଦ ଖର୍ଚ୍ଚ, ପୋଷାକ ଖର୍ଚ୍ଚ, ବିଜ୍ଞାନ ଓ ପ୍ରଚାର ପ୍ରସାର ବାବଦ ଖର୍ଚ୍ଚ, ଛୋଟମୋଟ ମରାମତି ଓ ରକ୍ଷଣାବେକ୍ଷଣ, ଅନୁଦାନ ଓ ଅବଦାନ ଆଦି ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ ଯେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କୋଭିଡର ଦ୍ୱିତୀୟ ଲହର ସମୟରେ ଏପର୍ଯ୍ୟନ୍ତ ଦେଶରେ ପ୍ରୋତ୍ସାହନମୂଳକ ପ୍ୟାକେଜ ଘୋଷଣା କରିନଥିଲେ ମଧ୍ୟ ୮୦ କୋଟି ଦରିଦ୍ର ଲୋକଙ୍କ ପାଇଁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ସେଥିପାଇଁ ରାଜକୋଷରୁ ପ୍ରାୟ ୮୯ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏଥିସହିତ କେନ୍ଦ୍ର ସରକାର ସାର ସବସିଡି ବିଲ୍‌? ୧୪,୭୭୬ କୋଟି ଟଙ୍କା ବୃଦ୍ଧି କରିଛନ୍ତି । ଟିକାକରଣ ଖର୍ଚ୍ଚ ବାବଦରେ କେନ୍ଦ୍ର ସରକାରଙ୍କୁ ପୂର୍ବରୁ ୩୫ ହଜାର କୋଟି ଖର୍ଚ୍ଚ କରିବାକୁ ପଡିଥିବାବେଳେ ଏବେ ଆଉ ୧୫ରୁ ୨୦ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ । ଦ୍ରବ୍ୟ ଓ ସେବାକର ସଂଗ୍ରହରେ ସୃଷ୍ଟି ହେଉଥିବା ନିଅଣ୍ଟିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତ ଆର୍ôଥକ ବର୍ଷରେ ୧.୬ ଟ୍ରିଲିଅନ ଟଙ୍କା ଋଣ କରିବା ଆଶା କରାଯାଉଛି ।

Leave A Reply

Your email address will not be published.

4 × one =