ଭୁବନେଶ୍ୱର: କୋଭିଡ ଟିକାର ଦୁଇଟି ଡୋଜ ନେଲେ କୋଭିଡ ସଂକ୍ରମଣରୁ ୮୦ ପ୍ରତିଶତ ସୁରକ୍ଷିତ ରହିବେ । ସେହିପରି ଯଦି ସଂକ୍ରମଣ ହୁଏ, ତେବେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ସୁରକ୍ଷିତ ରହିବ । ଏହାସହ ବିଶେଷ ଗୁରୁତର ହେବେନି । ତେଣୁ ସମସ୍ତେ ଟିକା ନେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।
ସେ କହିଛନ୍ତି ଯେ ସାଧାରଣତଃ ଟିକା ନେଲେ ସାମାନ୍ୟ ଜ୍ୱର ହୋଇଥାଏ । ଏହାଶୁଣି ଟିକା ନେବାରୁ ବିରତ ରୁହନ୍ତୁନି । ଏହା ଆପଣଙ୍କ ପରିବାର ଓ ସମାଜ ପାଇଁ ଘାତକ ହୋଇପାରେ । ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ୍ ନେଇସାରିଛନ୍ତି, ସେମାନେ ଡେଲଟା ଭାଇରସ ଦ୍ୱାରା ସଂକ୍ରମିତ ହେଉନାହାନ୍ତି । ବର୍ତମାନ ଇଂଲଣ୍ଡରେ ଡେଲଟା ଭାଇରସ ପ୍ରଭାବରେ କିଛି ଲୋକ ଆକ୍ରାନ୍ତ ହୋଇଥିବା ଖବର ରହିଛି । କିନ୍ତୁ, ଏହା ସେତେଟା ସାଂଘାତିକ ନୁହେଁ ।
ଅପରପକ୍ଷରେ ରାଜ୍ୟର କେତେକ ସ୍ଥାନରେ ନକଲି ଫାଭିପିରାଭିର ଔଷଧ ଜବତ ହୋଇଛି । ତେବେ ଏହି ନକଲି ମେଡିସିନ୍ କେହି ଗ୍ରହଣ କରିବା ଖବର ଏଯାଏଁ ଆସିନି । ଔଷଧ କେଉଁଠୁ ଆସିଥିଲା କେତେ ପ୍ରତିଶତ ଏହା କ୍ଷତିକାରକ ସେ ନେଇ ବିଭିନ୍ନସ୍ତରରେ ଯାଂଚ ଚାଲିଛି ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।