କୋଭିଡ ନିୟମାବଳୀ ମାନି ଚଳ

ନୂଆଦିଲ୍ଲୀ: କରୋନାଭାଇରସ୍ ସମ୍ବନ୍ଧୀୟ ନିୟମାବଳୀ ପ୍ରତି ବେପରୁଆ ନ ହେବା ଲାଗି ଆଜି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସତର୍କ କରାଇ ଦେଇଛନ୍ତି ।
କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ, କୋଭିଡ୍‌-୧୯ ପ୍ରାସଙ୍ଗିକ ଆଚରଣ ମାନିବା ଏବଂ ‘ଟେଷ୍ଟ୍‌-ଟ୍ରାକ୍‌-ଟ୍ରିଟ୍‌’ ବ୍ୟବସ୍ଥା ଯେମିତି ଉପେକ୍ଷିତ ନ ହୁଏ ସେଥିପ୍ରତି ସେମାନେ ଯତ୍ନବାନ ରହିବେ । ଦୌନିକ ନୂତନ ସଂକ୍ରମଣ ଧାରା ହ୍ରାସ ପାଉଥିବା ଦୃଷ୍ଟିରୁ କେତେକ ରାଜ୍ୟ କୋଭିଡ୍‌-୧୯ କଟକଣା କୋହଳ କରୁଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟରୁ ଏମିତି ସତର୍କ ସୂଚନା ଆସିଛି । ଜାରି ହୋଇଥିବା ଚିଠିରେ ଉଲ୍ଲେଖ ଅଛି, ସକ୍ରିୟ ସଂକ୍ରମଣ ସଂଖ୍ୟାରେ ଅବନତି ଘଟୁଥିବାରୁ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କଟକଣା କୋହଳ କରିବା ଆରମ୍ଭ କଲେଣି । ମୁଁ ଗୁରୁତ୍ୱାରୋପ କରି କହୁଛି ଯେ, କ୍ଷେତ୍ରବିଶେଷର ପରିସ୍ଥିତିର ମୂଲ୍ୟାୟନ ଆଧାରରେ କଟକଣା ଜାରି ଓ କୋହଳ କରିବା ନିଷ୍ପତ୍ତି ନିଆଯାଉ । ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ବିଭିନ୍ନ କାର୍ଯ୍ୟକଳାପ ଉନ୍ମୁକ୍ତ କରିବାକୁ ଯାଉଥିବା ବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସବୁ ସୁନିଶ୍ଚିତ ହେବା ଉଚିତ ଯେ, କଟକଣା କୋହଳ ପ୍ରକ୍ରିୟା ସାବଧାନତାର ସହ ସମନ୍ୱୟ ରକ୍ଷାକରି ଚାଲିଛି । ଏଥିସହ କେନ୍ଦ୍ର ସରକାର ସମ୍ପୃକ୍ତ ପ୍ରଶାସନମାନଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ କୋଭିଡ୍‌-୧୯ ମାମଲା ଦ୍ରୁତ ବୃଦ୍ଧି ପାଉଥିବା ଲକ୍ଷଣଗୁଡ଼ିକ ଉପରେ କଡ଼ା ନଜର ରଖନ୍ତୁ ।
ବାଧ୍ୟତାମୂଳକ ମାସ୍କ ପରିଧାନ, ହସ୍ତ ବିଶୋଧନ, ଶାରୀରିକ ଦୂରତ୍ୱ, ଆବଦ୍ଧ ସ୍ଥାନରେ ଉପଯୁକ୍ତ ବାୟୁ ଚଳାଚଳ ଆଦି ନିୟମ କୋଭିଡ୍‌-୧୯ ପ୍ରାସଙ୍ଗିକ ଆଚରଣର ପଞ୍ଚସୂତ୍ରୀ ରଣନୀତି ଅନ୍ତର୍ଭୁକ୍ତ । ଦେଶର କୋଭିଡ୍‌-୧୯ ପରିସ୍ଥିତିକୁ ନ ବିଗାଡ଼ିବା ଲାଗି ଏହି ନିୟମାବଳୀ ପ୍ରତି ନିୟମିତ ଦୃଷ୍ଟି ରଖିବା ଅପରିହାର୍ଯ୍ୟ ବୋଲି ଗୃହ ମନ୍ତ୍ରାଳୟ କହିଛି । ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଭୂତାଣୁ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ସଫଳ ଟିକାକରଣ ଅଭିଯାନ ଅତ୍ୟାବଶ୍ୟକ । ତେଣୁ, ଦ୍ରୁତ ଧାରାରେ ଯଥା ସମ୍ଭବ ଅଧିକ ଲୋକଙ୍କୁ ଟିକା ଦେବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ପଦକ୍ଷେପ ତ୍ୱରିତ କରିବା ଉଚିତ ।

Leave A Reply

Your email address will not be published.

thirteen − 10 =