କରୋନାର ନୂଆ ରୂପ ଲାମ୍ବଡା: ୨୯ ଦେଶରେ ହେଲାଣି ଠାବ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱ କରୋନାର ଡେଲଟା ଭାରିଏଣ୍ଟ ସହ ଲଢ଼େଇ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଗୋଟିଏ ନୂଆ ଷ୍ଟ୍ରେନ ସମ୍ପର୍କରେ ସୂଚନା ଦେଇଛି । କରୋନାର ଏହି ନୂଆ ଭାରିଏଣ୍ଟର ନାଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲାମ୍ବଡା ରଖିଛି । ବର୍ତ୍ତମାନ ସୁଦ୍ଧା ଏହା ୨୯ଟି ଦେଶରେ ଠାବ ହୋଇଥିବା ଜଣାପଡ଼ିଛି ।
ନୂଆ ଭାରିଏଣ୍ଟ ହୋଇଥିବାରୁ ଏହାର ଭୟାବହତା ସମ୍ପର୍କରେ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତଥାପି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହା ଉପରେ ପରୀକ୍ଷା ଜାରି ରଖିଛନ୍ତି । ଏହାକୁ ଟ୍ରାକ୍ କରିବାକୁ ଉଦ୍ୟମ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାପ୍ତାହିକ ବୁଲେଟିନରେ କୁହାଯାଇଛି, ଏହି ଲାମ୍ବଡା ଭାରିଏଣ୍ଟ ପ୍ରଥମେ ପେରୁରେ ଠାବ ହୋଇଥିଲା । ୨୦୨୦ ଅଗଷ୍ଟ ମାସରୁ ଏହି ଭାରିଏଣ୍ଟ ସମ୍ପର୍କରେ ସୂଚନା ମିଳିଥିଲା ।
ସେବେଠାରୁ ଏହାକୁ ଟ୍ରାକ୍ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା ୨୯ଟି ରାଷ୍ଟ୍ରରେ ଚିହ୍ନଟ ହୋଇଛି । ଆର୍ଜେଣ୍ଟିନା ଓ ଚିଲି ସମେତ ଅଧିକାଂଶ ଲାଟିନ ଆମେରିକା ଦେଶଗୁଡ଼ିକରେ ଏହି ଭାରିଏଣ୍ଟରେ ଲୋକମାନେ ସଂକ୍ରମିତ ହୋଇଛନ୍ତି । ୨୦୨୧ ଜୁନ୍ ୧୪ ତାରିଖରେ ଏହି ନୂଆ ଧରଣର ଭାରିଏଣ୍ଟକୁ ଲାମ୍ବଡା ଭାବେ ନାମିତ କରାଯାଇଛି ।
ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ପେରରୁରେ ଚିହ୍ନଟ ହୋଇଥିବା ସମସ୍ତ କରୋନା ସଂକ୍ରମିତଙ୍କ ମଧ୍ୟରେ ୮୧% ଲୋକ ଲାମ୍ବଡା ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଗତ ୬୦ ଦିନ ମଧ୍ୟରେ ଚିଲିରୁ ଜେନୋମ ସ୍ୱିକେନ୍ସିଂ ପାଇଁ ପଠାଯାଇଥିବର ମୋଟ ନମୁନା ମଧ୍ୟରୁ ୩୨% ଲାମ୍ବଡା ଭାରିଏଣ୍ଟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଲାମ୍ବଡା ଭାରିଏଣ୍ଟକୁ ଏବେ ମନିଟର କରାଯାଉଛି । ଏହାକୁ ଏକ ସତର୍କ ସୂଚନା ଭାବେ ବିବେଚନା କରାଯାଇଛି । ଏହା କେତେ ମାରାତ୍ମକ ଓ ଏହାର ସଂକ୍ରମଣ ବେଗ କେତେ, ସେ ବିଷୟରେ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି । ଲାମ୍ବଡା ଭାରିଏଣ୍ଟରେ ଅତ୍ୟଧିକ ମ୍ୟୁଟେସନ ହୋଇଥାଏ । ତେଣୁ ଏହା ସଂକ୍ରମଣକୁ ବୃଦ୍ଧି କରିପାରେ । ଏହି ନୂତନ ଭାରିଏଣ୍ଟ କେତେ ପ୍ରଭାବଶାଳୀ, ତାହା ବର୍ତ୍ତମାନ କହିବା ମୁସ୍କିଲ ।

Leave A Reply

Your email address will not be published.

5 × 1 =