ଭୁବନେଶ୍ୱର: ଆସନ୍ତା ୨୦୨୩ ମସିହା ସୁଦ୍ଧା ଓଡିଶା ବସ୍ତି ମୁକ୍ତ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ରାଜ୍ୟରେ ୨୯୯୨ଟି ବସ୍ତିରେ ରହୁଥିବା ୭୦ହଜାର ଲୋକଙ୍କୁ ଖୁବ୍ ଶିଘ୍ର ପଟାଦିଆଯିବ । ଅନ୍ୟ ଜନବସସ୍ତି ଭଳି ବସ୍ତି ଅଞ୍ଚଳର ବିକାଶ ସହ ସେମାନଙ୍କ ପାଇଁ ବିଜୁଳି, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ପରିମଳ ଆଦି ବ୍ୟବସ୍ଥା କରାଯିବ । ବସ୍ତି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଡା ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି ।
ସେହିପରି ପୌର ସଂସ୍ଥାଗୁଡ଼ିକୁ ଦିଆଯାଉଥିବା ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ଖର୍ଚ୍ଚ ହେବ । ବସ୍ତିବାସିନ୍ଦାଙ୍କୁ ସର୍ବନିମ୍ନ ସେବା ଯୋଗାଣ ଓ ଭିତ୍ତିଭୂମି ବିକାଶ ବାବଦରେ ଏହି ଅର୍ଥ ଖର୍ଚ୍ଚ କରାଯିବ । ରାଜ୍ୟ ସରକାର ପୌର ଆଇନ୍ରେ ଆଣିଥିବା ସଂଶୋଧନରେ ଏହି ବ୍ୟବସ୍ଥା ରହିଛି । ତେଣୁ ୨୦୨୦-୨୧ ଓ ୨୦୨୧-୨୨ ଆର୍ôଥକ ବର୍ଷ ପାଇଁ ଦିଆଯାଇଥିବା ଅର୍ଥରୁ ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ବ୍ୟୟ କରିବାକୁ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ପୌର ପ୍ରଶାସକମାନଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି ।
ପୌର ନିର୍ଦ୍ଦେଶକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସରକାର ମ୍ୟୁନିସିପାଲିଟି ଆଇନ୍ ୧୯୫୦ ଓ ମ୍ୟୁନିସିପାଲ କର୍ପୋରେସନ ଆଇନ୍ ୨୦୦୩ରେ ସଂଶୋଧନ ଆଣିବା ସହିତ ଏହାକୁ ଗେଜେଟ ବିଜ୍ଞପ୍ତିରେ ପ୍ରକାଶ କରିସାରିଛନ୍ତି । ତଦନୁଯାୟୀ ପୌରସଂସ୍ଥାଗୁଡିକ୍ର ୨୫ ପ୍ରତିଶତ ବସ୍ତି ବିକାଶ ଲାଗି ବ୍ୟୟ କରିବେ । ଏଥି ପାଇଁ ତ୍ରୈମାସିକ ଲକ୍ଷ୍ୟ ଧାର୍ଯ୍ୟ ସହିତ ତାହା କିଭଳି ବ୍ୟୟ ହେଉଛି, ତାହାର କଡ଼ାକଡ଼ି ଯାଞ୍ଚ ଲାଗି ପ୍ରଶାସକମାନଙ୍କୁ କୁହାଯାଇଛି । ଏଥି ସହିତ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଓ ଏନ୍ଏସିଗୁଡିକୁ ୨୦୨୦-୨୧ ଓ ୨୦୨୧-୨୨ ବର୍ଷ ପାଇଁ ମଞ୍ଜୁର ହୋଇଥିବା ଅର୍ଥର ତାଲିକା ସହିତ ଏହାର ୨୫ ପ୍ରତିଶତ ଅର୍ଥର ମଧ୍ୟ ଏକ ତାଲିକା ପୌର ନିର୍ଦ୍ଦେଶକ ତାଙ୍କ ପତ୍ରରେ ସଂଲଗ୍ନ କରିଛନ୍ତି ।