ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିଲା ବେଳେ ୧୦ଟି ରାଜ୍ୟରେ ୪୮ଜଣଙ୍କ ଠାରେ ଡେଲ୍ଟା ପ୍ଲସ ଭୂତାଣୁ ଠାବ ଚିହ୍ନଟ ଏବେ ଆତଙ୍କର କାରଣ ହୋଇଛି । ଦେଶର ୧୭୪ଟି ଜିଲ୍ଲାରେ ଏବେବି ଡେଲ୍ଟା ଭୂତାଣୁ ସକ୍ରିୟ ରହିଛି । ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସୂଚନା ଯୋଗ୍ୟ ଯେ, ଦେଶରେ ଏବେବି ମହାମରୀ କରୋନାର ଦ୍ୱିତୀୟ ଲହରର ଅନ୍ତ ଘଟିନାହିଁ । ୭୫ଟି ଜିଲ୍ଲାରେ ସଂକ୍ରମଣ ହାର ୧୦% ଉପରେ ଥିବା ବେଳେ ୯୨ଟି ଜିଲ୍ଲାରେ ସଂକ୍ରମଣ ହାର ୫ରୁ ୧୦% ମଧ୍ୟରେ ରହିଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ମାର୍ଚ୍ଚମାସରେ ମାତ୍ର ୫୨ଟି ଜିଲ୍ଲାରେ ଡେଲ୍ଟା ଭୂତାଣୁ ଉପସ୍ଥିତି ଠାବ ହୋଇଥିଲା । ମାତ୍ର ଜୁନ୍ ବେଳକୁ ଏହା ୧୭୪ଟି ଜିଲ୍ଲାକୁ ବ୍ୟାପୀଛି ।
୨୪ ଘଣ୍ଟାରେ ଆଉ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଆଉ ୪୮,୬୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ପଜିଟିଭ ସଂଖ୍ୟା ୩,୦୧,୮୩,୧୪୩କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୧୮୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ହାର ୧.୩୧% । ମୋଟ ମୃତ୍ୟୁ ସଂଖ୍ୟା ୩,୯୪,୪୯୩ରେ ପହଞ୍ଚିଛି । ଦିନକରେ ୬୪,୮୧୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୧,୯୩,୦୮୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆରୋଗ୍ୟ ହାର ୯୬.୭୨% । ୫,୯୫,୫୬୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଦିନକରେ ୬୧,୧୯,୧୬୯ ଟିକା ନେଇଥିବା ବେଳେ ମୋଟ ୩୧,୫୦,୪୫,୯୨୬ ମୋଟ ଟିକା ନେଇ ସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।
ଅନ୍ୟପକ୍ଷରେ ଦେଶରେ ପ୍ରାୟ ୧୧ଟି ରାଜ୍ୟରେ ୪୮ ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଛନ୍ତି । ୧୮ଟି ଜିଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲଟା ପ୍ଲସ ମାମଲା ରହିଛି । ସମଗ୍ର ଦେଶ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଛି । ବିଶ୍ୱର ପ୍ରାୟ ୧୨ଟି ଦେଶରେ ଏହି ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଏହି ଭୂତାଣୁରେ ଏଯାଏଁ ୩ ଜଣଙ୍କ ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶରେ ୨ ଜଣ ଓ ମହାରାଷ୍ଟ୍ରରେ ଜଣଙ୍କର ମୃତ୍ୟୁ ଘଟିଛି ।